କୁର୍ଣ୍ଣୁଲ: ରାଜସ୍ଥାନରେ ଗତ ୧୪ ତାରିଖ ଦିନ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଦେଶବାସୀ ଭୁଲିପାରି ନଥିବା ବେଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଆଜି ସକାଳୁ ସମାନ ପ୍ରକାରର ପରିସ୍ଥିତି ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ ଏଥିରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏସି ବସରେ ନିଆଁ ଲାଗିଯିବାରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ପ୍ରାୟ ୨୧ ଜଣ ଲୋକ ବସ୍ ଝରକା ଭାଙ୍ଗି ବସ୍ ରୁ ଡେଇଁ ପଳାଇ ଯାଇଥିଲେ। ଯେଉଁମାନେ ଝରକା ଦେଇ ଯାଇପାରିନଥିଲେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ନିଆଁରେ ପୋଡ଼ି ହୋଇ ୨୦ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମୃତାହତଙ୍କ ଉଦ୍ଦେଶ୍ୟରେ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ଜାତୀୟ ରାଜପଥ ୪୪ରେ ଭୋର ୩.୩୦ରେ ଘଟିଥିଲା। ବେମୁରୀ କାବେରୀ ଟ୍ରାଭେଲ୍ସର ଏହି ଯାତ୍ରୀବାହୀ ବସ୍ଟି ଗୋଟିଏ ବାଇକୁ ଧକ୍କା ଦେଇଥିଲା। ସମ୍ଭବତଃ ବାଇକଟି ବସ୍ରେ ତଳେ ରହି ଚାପି ହୋଇଯିବାରୁ ତେଲ ଟାଙ୍କି ପ୍ରଭାବିତ ହୋଇଥିଲା। ଏଥିଯୋଗୁ ବସ୍ରେ ନିଆଁ ଲାଗି ଯାଇଥିଲା ଓ ୩ ମିନିଟ ମଧ୍ୟରେ ପୂରା ବସ୍କୁ ନିଆଁ ଧରି ନେଇଥିଲା ବୋଲି କୁହାଯାଉଛି। ବସ୍ ର ଅତିରିକ୍ତ ଡ୍ରାଇଭରଙ୍କ ଅନୁଯାୟୀ, ସେମାନେ ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ଏବଂ ନିଆଁ ନିୟନ୍ତ୍ରଣ ବାହାରକୁ ଯିବା ପରେ ସେମାନେ କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କୁର୍ଣ୍ଣୁଲ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଯେ ଯେଉଁମାନେ ବସ୍ ରୁ ଡେଇଁ ପଡ଼ିଥିଲେ ସେମାନେ ବଞ୍ଚି ଯାଇଥିଲେ। ଜିଲ୍ଲା କଲେକ୍ଟରଙ୍କ ଅନୁଯାୟୀ, ବସ୍ ଟିରେ ଦୁଇ ଡ୍ରାଇଭର ସମେତ ୪୧ ଜଣ ଥିଲେ। ବର୍ତ୍ତମାନ ୨୧ ଜଣଙ୍କୁ ଠାବ କରାଯାଇଛି ଏବଂ ବାକି ୨୦ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ଡ୍ରାଇଭର ଫେରାର୍ ଅଛନ୍ତି। ଅଗ୍ନିଶମ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଆହତମାନଙ୍କୁ କୁର୍ଣ୍ଣୁଲର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ଏଫଆଇଆର ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି।
ତେବେ ଆନ୍ଧ୍ରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘରୋଇ ବସ୍ଟି ଓଡ଼ିଶାର। ଏହାର ତେଲଙ୍ଗାନାର ନୁହେଁ। ବସ୍ଟି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ପଞ୍ଜିକୃତ ହୋଇଥିଲା ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଧିକାରୀଙ୍କ କହିବା କଥା ଯେ ବସ୍ ପାଇଁ ଜାରି ହୋଇଥିବା ଫିଟ୍ନେସ ଓ ଅନୁମତି ସଂକ୍ରାନ୍ତ ସମସ୍ତ କାଗଜପତ୍ର ଓଡ଼ିଶାର ରାୟଗଡ଼ାରୁ ଜାରି ହୋଇଛି। ଏପରି କି ଦୁର୍ଘଟଣାଗ୍ରସ୍ତ ବସ୍ ନାଁରେ ଏକାଧିକ ଇ-ଚାଲାଣ ତେଲଙ୍ଗାନାରେ କଟିଛି। ଦ୍ରୁତଗତିରେ ଗାଡ଼ି ଚଳାଇ, ରଙ୍ଗ ରୁଟରେ ଗାଡ଼ିକୁ ନେବା ଓ ବିପଦ ଜନକ ଡ୍ରାଇଭିଂ ପାଇଁ ବସ୍ ନାଁରେ ମୋଟ ୨୩ ହଜାର ଟଙ୍କାର ଚାଲାଣ ରହିଥିବା ଯାଞ୍ଚରୁ ଜଣାପଡ଼ିଛି।
ଶୋକପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତାରେ ଲେଖିଛନ୍ତି ଯେ କୁର୍ଣ୍ଣୁଲ ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି।














