ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇଛି । ବିଜେପିର ଜୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠୁ ୮୩୭୮୪ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜୟଙ୍କୁ ମୋଟ ୧,୨୩,୮୬୯ ଭୋଟ୍ (୫୮.୨୭%) ମିଳିଛି, ଯାହାକି ରାଜ୍ୟରେ ବିଜେପି ପାଇଁ ଏକ ବୃହତ ବିଜୟ । ଏହି ରେକର୍ଡ଼ ବିଜୟ କେବଳ ଭୋଟ୍ ବ୍ୟବଧାନ ଦୃଷ୍ଟିରୁ ବଡ଼ ନୁହେଁ, ବରଂ ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଛି। ନୂଆପଡ଼ାର ଜନାଦେଶ ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି ଶାସନ କରିଥିବା ଏକନମ୍ବର ଦଳ ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି। କଂଗ୍ରେସ ପ୍ରାର୍ଥୀ ଘାଷିରାମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଏହାଥିଲା ପ୍ରଥମ ଉପନିର୍ବାଚନ । ତେଣୁ ସମ୍ମାନ ଦୃଷ୍ଟିରୁ ଉଭୟ ଶାସକ ବିଜେପି ଓ ବିଜେଡି ଏହାକୁ ହାତେଇବା ପାଇଁ ଲାଗି ପଡିଥିବାବେଳେ କଂଗ୍ରେସ ମଧ୍ୟ ସମସ୍ତ ବଳ ଖଟାଇଥିଲା । ବିଜେଡି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଶେଷ ମୂହୂର୍ତ୍ତରେ ବିଜେପି ନିଜର ପ୍ରାର୍ଥୀ କରିଥିବାବେଳେ ପ୍ରାର୍ଥୀ ସଙ୍କଟର ସମ୍ମୁଖୀନ ହୋଇଥିଲା ବିଜେଡି । ତେବେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାନସଭା ଆସନରୁ ହାରିଯାଇଥିବା ସ୍ନେହାଙ୍ଗିନୀଙ୍କ ଆଣି ଦଳ ନୂଆପଡାରେ ପ୍ରାର୍ଥୀ କରିଥିଲା । କଂଗ୍ରେସ କିନ୍ତୁ ଗତ ନିର୍ବାଚନରେ ଦଳୀୟ ଟିକଟ ନପାଇ ବିଦ୍ରୋହୀ ସାଜି ଦ୍ୱିତୀୟ ସ୍ଥାନରେ ଥିବା ଘାଷିରାମଙ୍କ ଦଳକୁ ଫେରାଇ ଆଣି ପ୍ରାର୍ଥୀ କରିଥିଲା ।
ତିନି ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋଦର ଦାର ଥିଲା । ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦୁଇ ଥର ପ୍ରଚାରକୁ ଯାଇଥିବାବେଳେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଜଣେ ଦୁଇ ଜଣଙ୍କୁ ବାଦ ନେଲେ ଅନ୍ୟ ସମସ୍ତ ମନ୍ତ୍ରୀ ନୂଆପଡାରେ ପ୍ରଚାର କାର୍ଯ୍ୟରେ ରହିଥିଲେ । ଶାସକଦଳର ଏକାଧିକ ବିଧାୟକ ବି ନିର୍ବାଚନ ମଙ୍ଗ ଧରିଥିଲେ । ସେହଭଳି ବିରୋଧିଦଳନେତା ନବୀନ ପଟ୍ଟନାୟକ ଦୁଇ ଦୁଇଥର ନୂଆପଡା ପ୍ରଚାରରେ ଯାଇଥିବାବେଳେ ଦଳର ବିଧାୟକ ଓ ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକାଇଥିଲେ । ନିର୍ବାଚନ ଆରମ୍ଭରୁ ହିଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ନୂଆପଡାରେ ରହୁଥିଲେ ।
ତେବେ ର୍ନିବାଚନର ଫଳାଫଳ ସମସ୍ତଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟଚକିତ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏଠାରେ ୧,୨୩,୮୬୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି । ତାଙ୍କର ଭୋଟ ପରିମାଣ ଗତ ଥର ବିଜେପି ପାଇଥିବା ଭୋଟର ପ୍ରାୟ ୩ଗୁଣ । ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଘାଷିରାମ ମାଝୀ ୪୦,୧୨୧ ଖଣ୍ଡ ଭୋଟ ପାଇଛନ୍ତି । ଗତଥର ସେ ପାଇଥିବା ଭୋଟ ଠାରୁ ଏଥର ପ୍ରାୟ ୧୦ ହଜାର କମ୍ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ମିଳିଛି ୩୮,୪୦୮ ଖଣ୍ଡ ଭୋଟ । ଗତଥର ବିଜେପଡି ଏଠାରେ ୬୧,୮୨୨ ଖଣ୍ଡ ଭୋଟ ପାଇଥିଲା ।
ଜୟଙ୍କର ଏହି ବିଜୟ ପରେ ରାଜ୍ୟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚି ଥିବାବେଳେ ବିଜେଡିର ବିଧାୟକ ସଂଖ୍ୟା ୫୦କୁ ହ୍ରାସ ପାଇଛି । ଯଦିଓ ସଂଖ୍ୟା ଗଣିତରେ ଏହି ବିଜୟ ବିଜେପି କିମବା ବିଜେଡି ଉପରେ ସେଭଳି କୌଣସି ପ୍ରଭାବ ପକାଇବ ନାହିଁ, କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟ ତିନି ପ୍ରମୁଖ ଦଳ ପାଇଁ ଏହାର ସୁଦୂର ପ୍ରସାରୀ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଜୟ
୧୧ ବର୍ଷ ପରେ ନୂଆପଡ଼ାକୁ ଦଖଲ କରିଛି ବିଜେପି। ଯୁବ ରାଜନୀତିଜ୍ଞ ଜୟ ଢୋଲକିଆଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିଛନ୍ତି। ବିପୁଳ ସଂଖ୍ୟାରେ ଭୋଟ୍ ଦେଇଛନ୍ତି। ଏହି ବିଜୟ ନେଇ ଜୟ ଢୋଲକିଆ ଉତ୍ସାହିତ ଦେଖାଯାଇଛି। ସେ ଖୁବ ଶୀଘ୍ର ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ।
ବିଜେପି ଶିବିରରେ ଉତ୍ସାହ
ନୂଆପଡ଼ା ନିର୍ବାଚନରେ ବିଜୟ ହାସଲ କରିବା ପରେ ଓଡ଼ିଶା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚିଛି। ଅନ୍ୟପଟରେ ବିଜେଡିର ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି। ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି। ନୂଆପଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ନେତା, କର୍ମୀ ଉତ୍ସାହିତ ଅଛନ୍ତି। ବାଣ ଫୁଟୁଛି। ମିଠା ବଣ୍ଟା ଯାଉଛି। ବିଜେପିର ବରିଷ୍ଠ ନେତାଙ୍କ ଘରେ ବିଜୟର ମାହୋଲ ଦେଖାଯାଇଛି। ନୂଆପଡ଼ାକୁ ନେଇ ଚର୍ଚ୍ଚା ହେଉଛି।














