କଟକ: କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ ରୁ ଆରମ୍ଭ ହେବ ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏନେଇ ସୂଚନା ଦେଇଛନ୍ତି। ଓସିଏ ସମ୍ପାଦକଙ୍କ ଅନୁଯାୟୀ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ଟି-୨୦ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ଡିସେମ୍ବର ୧ରେ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନ୍ ଟିକେଟ ଡିସେମ୍ବର ୫ରୁ ଆରମ୍ଭ ହେବ। ଅଫଲାଇନ୍ରେ ଟିକେଟ୍ ଛଅଟି କାଉଣ୍ଟରରେ ବିକ୍ରି ହେବ।
ସେହିପରି, ଅନୁବନ୍ଧିତ ସଂଘ ଏବଂ କ୍ଲବଗୁଡ଼ିକ ଡିସେମ୍ବର ୩ ଏବଂ ୪ ରେ ସେମାନଙ୍କର ଟିକେଟ୍ ପାଇବେ ବୋଲି ଓସିଏ ସମ୍ପାଦକ ଉଲ୍ଲେଖ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଅନଲାଇନ୍ ଏବଂ ଅଫ୍-ଲାଇନ୍ ଉଭୟରେ କେତେ ଟିକେଟ୍ ବିକ୍ରି ହେବ ସେ ବିଷୟରେ ସଂଘ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ସୂଚନାଯୋଗ୍ୟ, ୯ ଡିସେମ୍ବର ୨୦୨୫ ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ଡିସେମ୍ବର ୯ରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତବର୍ଷ ଭାରତ-ଇଂଲଣ୍ଡ କ୍ରିକେଟ ମ୍ୟାଚ୍ ବେଳେ ଯେପରି ଫ୍ଲଡ୍ ଲାଇଟ୍ ହଠାତ୍ ବନ୍ଦ ହୋଇଯାଇଥିଲା ଓ ରାଜ୍ୟ ଅପଦସ୍ତ ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ମ୍ୟାଚ୍ ଉପରେ ବିଶ୍ବର ନଜର ରହିବ। ତେଣୁ ଏହାର ତ୍ରୁଟିଶୂନ୍ୟ ପରିଚାଳନା ନିଶ୍ଚିତ କରିବାକୁ ହେବ।
ବିଶେଷକରି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ପୁଲିସ୍ ପ୍ରଶାସନ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ଏହାସହିତ ଭିଡ଼ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।














