ମୁମ୍ବାଇ: ବଲିଉଡର ହି’ମ୍ୟାନ ଆଉ ନାହାନ୍ତି। ଆଜି ମୁମ୍ବାଇ ସ୍ଥିତ ବାସଭନବରେ ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବେଶ କିଛି ଦିନ ହେବ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଥିଲା। ଏପରି କି ସେ ଚଳିତ ମାସରେ ବେଶ କିଛି ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ମଧ୍ୟ ପ୍ରକାଶ ପାଇଥିଲା। ତେବେ ଧର୍ମେନ୍ଦ୍ର ସୁସ୍ଥ ହୋଇ ଘରକୁ ଫେରିଥିଲେ। ଆଜି କିନ୍ତୁ ସେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଥିବା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳେ ହଠାତ୍ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଘରେ ପହଞ୍ଚି ଧର୍ମେନ୍ଦ୍ରଙ୍କ ଚିକିତ୍ସା କରିଥିଲେ। କିନ୍ତୁ ସେମାନଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ବଲିଉଡର ଏହି ମହାନ କଳାକାରଙ୍କ ବିୟୋଗ ପୂରା ଦେଶ ତଥା ସିନେମା ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ଦୀର୍ଘ ୬ ଦଶନ୍ଧି ଧରି ଧର୍ମେନ୍ଦ୍ର ବଲିଉଡରେ ସକ୍ରିୟ ରହିବା ସହ ୩୦୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଦେହାନ୍ତ ଖବର ପରେ ଏବେ ମୁମ୍ବାଇ ସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ସେଲିବ୍ରେଟିଙ୍କ ଭିଡ଼ ହେବାରେ ଲାଗିଛି। ଭିଡ଼କୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ରଙ୍କ ବାସଭବନର ୫୦ ମିଟିର ପରିଧି ମଧ୍ୟରେ ବ୍ୟାରିକେଡ କରିଛି। ଡିସେମ୍ବର ୮ରେ ୯୦ ବର୍ଷରେ ପାଦ ଦେବାକୁ ଯାଉଥିବା ଧର୍ମେନ୍ଦ୍ର ନିକଟରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଗୋଟିଏ ସପ୍ତାହରୁ ଅଧିକ ଦିନ ହେବ ହସ୍ପିଟାଲରେ ଥିବା ଧର୍ମେନ୍ଦ୍ରଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କର ଚିକିତ୍ସା ଭେଣ୍ଟିଲେଟର ସହାୟତାରେ କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ସେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପୂର୍ବରୁ ଏପ୍ରିଲ ମାସରେ ସେ ନିଜ ଆଖିର ଅପରେସନ ମଧ୍ୟ କରିଥିଲେ। ବୟସ ଅଧିକ ହୋଇ ଯାଇଥିବାରୁ ସେ ନିୟମିତ ଅସୁସ୍ଥ ହେଉଥିବା ଖବର ତାଙ୍କ ଫ୍ୟାନ୍ସକୁ ବିଚଳିତ କରିଥିଲା।
୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ। ତାଙ୍କୁ ଶେଷଥର ପାଇଁ ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ। ଏହି ସିନେମା ଜରିଆରେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଡେବ୍ୟୁ କରିବେ। ତେଣୁ ପୂରା ବଲିଉଡର ନଜର ଏହି ସିନେମା ଉପରେ ରହିଛି।
୧୯୩୫ ଡିସେମ୍ବର ୮ରେ ପଞ୍ଜାବ ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର। ତାଙ୍କ ପୂରା ନାଁ ଧମେନ୍ଦ୍ର ଦେଓଲ। ଶିଖ ପରିବାରରେ ତାଙ୍କ ଜନ୍ମ ହୋଇଥିଲା। ଶିକ୍ଷାଗତ ଯୋଗ୍ୟତା କହିଲେ ଧର୍ମେନ୍ଦ୍ର ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ଅଭିନୟ ପ୍ରତି ସେ ରୁତି ରଖିଥିବାରୁ ସମୟକ୍ରମେ ସେ ବଲିଉଡର କିମ୍ବଦନ୍ତୀ ପାଲଟି ଯାଇଥିଲେ। ରୋମାଣ୍ଟିକ୍ ଠାରୁ ଆରମ୍ଭ କରି ଆକ୍ସନ ଫିଲ୍ମରେ ଧର୍ମେନ୍ଦ୍ର ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ୧୯୭୫ରେ ସିନେମା ‘ଶୋଲେ’ରେ ଅଭିନୟ କରି ଧର୍ମେନ୍ଦ୍ର ଦର୍ଶକଙ୍କ ହୃଦୟରେ ବୀରୁ ଭାବେ ରାଜ୍ କରିଥିଲେ । ନିଜର ଜୀବନ୍ତ ଅଭିନୟ ପାଇଁ ତାଙ୍କୁ ବର୍ଷ ବର୍ଷ ଧରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିଲା। ଚାରି ଚାରିଟି ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ ଧର୍ମେନ୍ଦ୍ର। ୧୯୭୨ ମସିହାରେ ତାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା। ୧୯୯୭ରେ ଧର୍ମେନ୍ଦ୍ର ପାଇଥିଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ୨୦୧୨ରେ ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସେ ସମ୍ମାନୀତ କରିଥିଲେ। ଫିଲ୍ମ ଦୁନିଆରେ ସଫଳତା ହାସଲ କରିବା ପରେ ଧର୍ମେନ୍ଦ୍ର ରାଜନୀତି ପ୍ରତି ମଧ୍ୟ ଆକୃଷ୍ଟ ହୋଇଥିଲେ। ୨୦୦୪ରେ ସେ ବିଜେପି ଟିକେଟ୍ରେ ରାଜସ୍ଥାନର ବିକାନେରରୁ ସାଂସଦ ବନିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ପୁଣି ସେ ସିନେମା କରିବା ଜାରି ରଖିଥିଲେ। ଧର୍ମେନ୍ଦ୍ର ୧୯୫୪ରେ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ମାତ୍ର ୧୯ ବର୍ଷ ଓ ସିନେମା ଦୁନିଆରେ ପ୍ରବେଶ କରିବା ପୂର୍ବରୁ ପ୍ରକାଶ କୌରଙ୍କ ହାତ ଧରିଥିଲେ। ସନ୍ନି ଦେଓଲ ଓ ବବି ଦେଓଲ ଦେଉଛନ୍ତି ପ୍ରକାଶ କୌରଙ୍କ ପୁଅ। ବିଜେତା ଓ ଅଜେଇତା ନାମରେ ତାଙ୍କର ଦୁଇ ଜଣ ଝିଅ ମଧ୍ୟ ରହିଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଫିଲ୍ମରେ ଅଭିନୟ କରିବା ସମୟରେ ଧର୍ମେନ୍ଦ୍ର ଡ୍ରିମଗର୍ଲ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। ପ୍ରକାଶ କୌର ଥିବା ସତ୍ତ୍ୱେ ସେ ୧୯୮୦ରେ ହେମା ମାଳିନୀଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଦୁଇ ଝିଅ ହେଲେ ଇଶା ଓ ଆହାନା। ହେମା ମାଳିନୀ ଏବେ ବିଜେପିର ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି।














