ମହିଳାଙ୍କ କଟାମୁଣ୍ଡ ନ ମିଳିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ଘରପୋଡି ଘଟଣାକୁ ନେଇ ବଙ୍ଗାଳି ସମାଜ ପକ୍ଷରୁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ
ଏମଭି ୨୬ ଗାଁ ରେ ୧୬୩ ଧାରା ଲାଗୁ
ଘଟଣା ସ୍ଥଳକୁ ଡିଆଇଜିଙ୍କ ପରିଦର୍ଶନ
ମାଲକାନଗିରି: ମହିଳାଙ୍କ କଟାମୁଣ୍ଡ ନ ମିଳିବା ନେଇ ଦୁଇଗୋଷ୍ଠୀ ମଧ୍ୟରେ ଥମୁନି ଗଣ୍ଡଗୋଳ। ଘରପୋଡି ଘଟଣାକୁ ନେଇ ସୋମବାର ୧୦ହଜାରରୁ ଊର୍ଦ୍ଧ୍ବ ଲୋକ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏମଭି୨୬ ଗାଁ ଘଟଣା ସ୍ଥଳରେ ୧୬୩ ଧାରା ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ରହିବ। ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଇଣ୍ଟରନେଟ। ମାଲକାନଗିରି ଜିଲାପାଳ ଏ ନେଇ ସୂଚନା ଦେଇଛନ୍ତି। ଘଟଣା ସ୍ଥଳକୁ ରବିବାର ରାତିରେ ଡିଆଇଜି ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ମାଲକାନଗିରି ଜିଲ୍ଲା ସଦର କୋରକୁଣ୍ଡା ଥାନାସ୍ଥ ଡୁଡାମେଟଲା ଗ୍ରାମ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଗତ ୪ ଦିନ ତଳେ ଉଦ୍ଧାର ହୋଇଥିଲା । ସେହି ଘଟଣାକୁ ନେଇ ରଖେଲଗୁଡା ଓ ଏମଭି ୨୬ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ହତ୍ୟା କିଏ କରିଛି ତାହା ଅସ୍ପଷ୍ଟ ରହିଛି। ନିଖୋଜ ଥିବା ମୁଣ୍ଡକୁ ତୁରନ୍ତ ଉଦ୍ଧାର କରିବା ସହିତ ମୂଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଆଦିବାସୀ ସଂଘ ପୁଲିସ ପ୍ରଶାସନ ନିକଟରେ ଦାବୀ କରିଥିଲେ। ଦୀର୍ଘ ୪ ଦିନ ହେବ କୌଣସି ସୁଫଳ ନ ମିଳିବାରୁ ଏହାକୁ ନେଇ ରବିବାର ଏମଭି-୨୬ ଏବଂ ରାଖାଲଗୁଡା ଗ୍ରାମ ଓ ଆଦିବାସୀ ସଂଘ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ଏମଭି ୨୬ ଗ୍ରାମରେ ନିଆଁ ଲଗାଇ ଦେବା ସହ ଘର ଭାଙ୍ଗି ଦେଇଥିଲେ। ଘଟଣା ସ୍ଥଳରେ ଡିଆଇଜି,ଏସପି, ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାଇଥିଲେ ।
ସୋମବାର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ଉଭୟ ଗୋଷ୍ଠୀଙ୍କୁ ଡାକି ଶାନ୍ତି କମିଟି ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସୋମବାର ସକାଳେ ଆଦିବାସୀ ସମାଜ ମହାସଂଘର ସଭାପତି ସହିତ ଅନ୍ୟାନ ଆଦିବାସୀ ନେତା ମାନେ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ପ୍ରାୟ ୧୦ହଜାର ଲୋକ ଏମଭି୩ କୃଷ୍ଣ ମନ୍ଦିର ଠାରୁ ୫ କିଲୋମିଟର ଶାନ୍ତିପୁର୍ଣ ପଦଯାତ୍ରା ରେ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାହା ଫଳ ରେ ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜ ପଥ ଅବରୋଧ ହୋଇଥିଲା।ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ୟା ସମାଧାନ ପାଇଁ ୨୪ ଘଣ୍ଟା ସମୟ ମଗା ଯିବା ପରେ ବଙ୍ଗାଳି ସମାଜ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲ ।
ଘଟଣା ସ୍ଥଳ ରେ ପରିସ୍ଥିତି ନିୟନ୍ତ୍ରଣ ଥିଲେ ମଧ୍ୟ ଉଭୟ ଗୋଷ୍ଠୀମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ସନ୍ଧ୍ୟା ୬ ଟା ଠାରୁ ୨୪ ଘଣ୍ଟା ପାଇଁ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି। ଅନ୍ୟପକ୍ଷରେ ୪ ଦିନ ପରେ ମୁଣ୍ଡ ବିହୀନ ମହିଳା ର ଶବବ୍ୟବଚ୍ଛେଦ କରା ଯାଇଥିଲେ ମଧ୍ୟ ମୁଣ୍ଡ ନଥିବାରୁ ପରିବାର ଲୋକେ ନେଉ ନ ଥିବାରୁ ହସ୍ତାନ୍ତର କରାଯାଇ ପାରିନାହିଁ,ହସ୍ପିଟାଲ ରେ ଶବ କୁ ସୁରକ୍ଷିତ ରଖା ଯାଇଛି।














