ପାରଳାଖେମୁଣ୍ଡି: ୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ୍ ଚ୍ୟାମ୍ପିଅନସିପ୍-୨୦୨୫ର ଫାଇନାଲ୍ରେ ଯାଜପୁରକୁ ପରାଜିତ କରି ଗଜପତି ଜିଲ୍ଲା ଦଳ ଚ୍ୟାମ୍ପିଅନ୍ ହୋଇଛି। ଗଜପତି ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୧ ରନ୍ କରିଥିବା ବେଳେ ଯାଜପୁର ୨୦ ଓଭର ରେ ୭ ୱିକେଟ୍ ହରାଇ ୧୬୬ ରନ୍ରେ ସୀମିତ ରହି ପରାଜିତ ହୋଇଥିଲା। ତିନୋଟି ବିଭିନ୍ନ ଭାଗରେ ସମତୁଲ୍ୟ ଏବଂ ଆକ୍ରାମକ ବ୍ୟାଟିଂ ଗଜପତିଙ୍କୁ ୨୦୦+ ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲା। ଫଳରେ ଗଜପତି ମ୍ୟାଚ୍ ବିଜୟ ଲକ୍ଷ ସଫଳ ହୋଇଛି। ଜଗତସିଂହପୁରସ୍ଥିତ ଏସ୍କେ ଏକାଡେମି ଠାରେ ଗତ ୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ଯନ୍ତ ୫ ଦିନ ଧରୀ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବ ବେଳେ ସାରା ରାଜ୍ୟରୁ ମୋଟ ୩୧ଟି ଦଳ ଏଥିରେ ଭାଗ ନେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମୟାଧର ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ର ଦଳର ସମସ୍ତ ଖେଳାଳି, ଟିମ୍ ମ୍ୟାନେଜର୍ ଓ କୋଚ୍ଙ୍କୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ତାଙ୍କୁ ଭବିଷ୍ୟତ୍ରେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବା ସହିତ ଗଜପତି ଦଳର ଏହି ସଫଳତାରେ ଗର୍ବ ପ୍ରକାଶ କରିଛନ୍ତି।














