ଭୁବନେଶ୍ବର: ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଗତକାଲି ବିଜେପି ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଣେ ଆଜି ବିଜେଡି ବିଧାୟକମାନେ ବି ଜନ ଅସନ୍ତୋଷକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମାନ ଦାବି କରିଛନ୍ତି। ଏହାଫଳରେ ଦରମା ଓ ପେନ୍ସନ୍ ବୃଦ୍ଧି ନିଷ୍ପତ୍ତିରେ ପରିବର୍ତ୍ତନ କରାଯିବ ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ବିଧାନସଭାରେ ବିଲ୍ କୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦେଖି ଏହାର ପୁର୍ନବିଚାର କରିବା ପାଇଁ ଦାବି କରୁଥିବା କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ।
ବିଧାନସଭାରେ ୯ ତାରିଖରେ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନକୁ ନେଇ ବିଲ ପାରିତ ହୋଇଛି । କିନ୍ତୁ ଓଡ଼ିଶା ଜନ ସାଧାରଣ ଏହାକୁ ବିରୋଧ କରୁଛନ୍ତି । ଜନମତ ଏହି ବିଲ ବିରୋଧରେ ଯାଉଛି । ତେଣୁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଥିଲେ । ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି, ତାହା ସାଧାରଣ ଲୋକଙ୍କ କାମରେ ଲଗାଯାଏ । ଆମ ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛୁ କି ଏହି ବିଲର ସେ ପୁର୍ନବିଚାର କରନ୍ତୁ ।
ସୂଚନାଯୋଗ୍ୟ, ଗତକାଲି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ଡକାଯାଇଥିଲା। ସେଠାରେ ବିଧାୟକମାନେ ପୂର୍ବ ଲିଖିତ ସ୍ମାରକପତ୍ରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏ ସମ୍ପର୍କରେ ବିଧାୟକମାନେ ଗଣମାଧ୍ୟମରେ ଅଧିକ ବୟାନବାଜି ନକରିବା ପାଇଁ ତାଗିଦ କରାଯାଇଛି। ବର୍ଦ୍ଧିତ ଦରମା ନିଶ୍ଚିତ କମିବ ବୋଲି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏକ ବିଧେୟକ ଗୃହୀତ ହୋଇଥିଲା। ଆଜି ଏ ସମ୍ବନ୍ଧରେ ବିଧାୟକମାନଙ୍କର ଏକ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।














