ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ପୂଜ୍ୟ ଅଟଳଜୀଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଟଳଜୀ କେବଳ ଜଣେ ବିଚକ୍ଷଣ ରାଜନେତା ନଥିଲେ, ବରଂ ସେ ଥିଲେ ଆଧୁନିକ ଭାରତର ଅନନ୍ୟ ବିନ୍ଧାଣି। ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ; ପାରାଦୀପ ତୈଳ ବିଶୋଧନାଗାର, ଭୁବନେଶ୍ୱର ଏମ୍ସ (AIIMS) ଏବଂ ପୂର୍ବତଟ ରେଳପଥ ଭଳି ଯୁଗାନ୍ତକାରୀ ପ୍ରକଳ୍ପଗୁଡ଼ିକ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ଜ୍ୱଳନ୍ତ ପ୍ରମାଣ। ରାଜନୀତିରେ ନୈତିକତା, ସ୍ୱଚ୍ଛତା ଓ ଆଦର୍ଶର ସେ ଥିଲେ ଜଣେ ମୂର୍ତ୍ତିମନ୍ତ ପ୍ରତୀକ; ତାଙ୍କ ପାଇଁ ଶାସନ କ୍ଷମତା ନୁହେଁ ବରଂ ଜନସେବା ହିଁ ଥିଲା ସର୍ବଶ୍ରେଷ୍ଠ ଧର୍ମ।
ଅଟଳଜୀଙ୍କ ସୁଶାସନର ମୂଳମନ୍ତ୍ରକୁ ପାଥେୟ କରି ଆମ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛି। ଦୁର୍ନୀତିମୁକ୍ତ, ପାରଦର୍ଶୀ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ପ୍ରଦାନ ସହ ସାଧାରଣ ଲୋକଙ୍କ ଅଭିଯୋଗକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଆମର ପ୍ରମୁଖ ଲକ୍ଷ୍ୟ। ଅଟଳଜୀଙ୍କ ଆଦର୍ଶ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଜି ସଂସ୍କାର ଓ ସମୃଦ୍ଧିର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି। ଅଟଳଜୀଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏକ ସଶକ୍ତ ଓ ‘ବିକଶିତ ଓଡ଼ିଶା’ ଗଠନ ନିମନ୍ତେ ପୁନଃ ସଂକଳ୍ପ ଗ୍ରହଣ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।














