୨୦ଜଣଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କରିଛନ୍ତି। ଦଶମ ଏବଂ ଶେଷ ଶିଖ ଗୁରୁ ଶ୍ରୀ ଗୋବିନ୍ଦ ସିଂହଙ୍କ ଚାରି ପୁତ୍ରଙ୍କ ସହିଦତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୨୬କୁ ବୀର ବାଳ ଦିବସ ଭାବରେ ପାଳନ କରାଯାଏ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ରେ ଏହି ଦିବସ ପାଳନ କରିବାକୁ ଘୋଷଣା କରିଥିଲେ । ଆଜି ବୀର ବାଳ ଦିବସ ଅବସରରେ, ଦେଶର ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ ହୋଇଥିବା ପ୍ରାୟ ୨୦ ଜଣ ପିଲାଙ୍କୁ ରାଷ୍ଟ୍ରୀୟ ବୀର ବାଳ ପୁରସ୍କାର ପ୍ରଦାନ କରାଯାଇଥିଲା। ଛଅଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା: ସାହସିକତା, କଳା, ସଂସ୍କୃତି, ବିଜ୍ଞାନ, ପରିବେଶ, ସମାଜସେବା ଏବଂ କ୍ରୀଡା। ୨୦ ଜଣ ପିଲାଙ୍କ ମଧ୍ୟରୁ ଦୁଇଜଣଙ୍କୁ ମରଣୋତ୍ତର ବୀର ବାଳ ପୁରସ୍କାର ମିଳିଛି। ଓଡ଼ିଶାର କିଶୋରୀ ଜନଜାତୀୟ କ୍ରୀଡ଼ାବିତ୍ ଜ୍ୟୋତ୍ସ୍ନା ଶବର ଏହି ପୁରସ୍କାର ପାଇ ରାଜ୍ୟର ଗୌରବ ବଢ଼ାଇଛନ୍ତି ।
ଜ୍ୟୋତ୍ସ୍ନା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ଦୋହାରେ ଆୟୋଜିତ ଏସୀୟ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପରେ ୧୬ ବର୍ଷୀୟ ଜନଜାତୀୟ ଭାରୋତ୍ତୋଳନ ପ୍ରତିଯୋଗୀ ଜ୍ୟୋତ୍ସ୍ନା ଶବର ୪୦ କିଲୋଗ୍ରାମ ଓଜନ ବର୍ଗରେ ମୋଟ୍ ୧୩୫ କିଲୋଗ୍ରାମ (ସ୍ନାଚ୍ ୬୦ କିଲୋଗ୍ରାମ+ କ୍ଲିନ୍ ଆଣ୍ଡ ଜର୍କ ୭୫ କିଲୋଗ୍ରାମ) ଭାରୋତ୍ତୋଳନ କରି ଯୁବ ଏସୀୟ ରେକର୍ଡ କରିଥିଲେ।
ସେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ, ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲୁଏଫ) ବିଶ୍ୱ ଯୁବ ଏବଂ କନିଷ୍ଠ ଚାମ୍ପିଅନସିପରେ ରୌପ୍ୟ ଏବଂ କାଂସ୍ୟ ପଦକ ସମେତ ଅନେକ ସଫଳତା ମଧ୍ୟ ପାଇଛନ୍ତି।ତାଙ୍କର ଉପଲବ୍ଧି ତାଙ୍କୁ ଯୁବ ଭାରୋତ୍ତୋଳନ କ୍ଷେତ୍ରରେ ଭାରତର ଉଦୀୟମାନ ତାରକା ମଧ୍ୟରୁ ଅନ୍ୟତମ କରିପାରିଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉତ୍କର୍ଷତା ଲାଗି ଜ୍ୟୋତ୍ସ୍ନା ଶବରଙ୍କୁ ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାରରେ ସମ୍ମାନିତ କରାଯାଇଛି।














