ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଜାନୁଆରି ୧ ତାରିଖ ଏକ କାର୍ଯ୍ୟ ଦିବସ ହୋଇଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(CMO) ଏବଂ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବାକୁ କେହି ବ୍ୟକ୍ତିଗତ ଭାବରେ ଆସିବା ଉଚିତ୍ ନୁହେଁ ବୋଲି ସିଏମଓ ପକ୍ଷରୁ ଜାରି ବିବୃତିରେ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।
ସରକାରୀ କାର୍ଯ୍ୟାଳୟରେ ନୂତନ ବର୍ଷ ପାଳନ ନକରିବାକୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ରମ, ବୈଠକ ଏବଂ ପାର୍ଟିକୁ ନିଷେଧ କରାଯାଇଛି। ସମସ୍ତ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛ ବୋଲି ବିବୃତିରେ କୁହାଯାଇଛି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ଇଂରାଜୀ ନୂଆ ବର୍ଷ ୨୦୨୬ ପାଇଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ ଏବଂ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ। ତେଣୁ, ମୋର କାର୍ଯ୍ୟାଳୟକୁ ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ।
ସରକାରୀ କର୍ମଚାରୀମାନେ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି, ଅଫିସ୍ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଅନୁରୋଧ। ଓଡ଼ିଶାର ଜନସାଧାରଣ ତଥା ମୋର ଶୁଭାକାଂକ୍ଷୀଙ୍କ ସଦିଚ୍ଛା ମୋ ସହିତ ସବୁବେଳେ ରହିଆସିଛି। ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ। ମୋର ସରକାରୀ ବାସଭବନକୁ ଯେଉଁମାନେ ଶୁଭେଚ୍ଛା ଜଣାଇବାକୁ ଆସିବେ, ସମସ୍ତଙ୍କୁ ନିବେଦନ, କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ଆସିବେ ନାହିଁ। କେବଳ ଆପଣଙ୍କ ସଦିଚ୍ଛା ଓ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ବନ୍ଦେ ଉତ୍କଳ ଜନନୀ।














