ନବନିଯୁକ୍ତଙ୍କୁ ୩ ମନ୍ତ୍ର : ‘ଦୁର୍ନୀତି କଲେ ସରକାର ଛାଡ଼ିବେନି’
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ସେ ସଫଳତା ହାସଲ କରିଥିବା ସମୗ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, ଅର୍ଥ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ସମବାୟ ବିଭାଗ, ପର୍ଯ୍ୟଟନ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଯୋଜନା ଓ ସଂଯୋଜନା ବିଭାଗର ମୋଟ ୧୫୪୩ଜଣଙ୍କୁ ନିଯୁକ୍ତିପତ୍ର ମିଳିଛି । ଏଥିରୁ ଗଣଶିକ୍ଷା ବିଭାଗରେ ୭୫୫, ୩୮୨ଜଣଙ୍କୁ ଓଡ଼ିଶା ସିଭିଲ ସର୍ଭିସ ଓ ୧୪ଜଣଙ୍କୁ ଅନ୍ୟ ବିଭାଗରେ ରହିଛି । ସେହିପରି ୩୯୨ ଜଣଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ମିିଳିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରର ଲେଖିଛନ୍ତି, ରେଳ ଅଡିଟୋରିୟମଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ୧୧ଟି ବିଭାଗର ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତା ପାଇଥିବା ସମସ୍ତ ଯୁବ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ; ଏହି ଯୁବ ଅଧିକାରୀମାନେ ହେଉଛନ୍ତି ଆମ ରାଜ୍ୟର ପ୍ରଗତିର ସାରଥି।
ଆମ ସରକାର ଯୁବଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସରକାରୀ ଚାକିରିର ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଥିବାବେଳେ, ଶିଳ୍ପାୟନ ମାଧ୍ୟମରେ ମଧ୍ୟ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଆମର ଅଭିଯାନ ଜାରି ରହିଛି। ଏହି ନିଯୁକ୍ତି ପ୍ରକ୍ରିୟା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତିଫଳନ। ଏହି ଅବସରରେ ମୁଁ ସମସ୍ତ ନବନିଯୁକ୍ତଙ୍କୁ ‘ସୁଶାସନ’ର ତିନୋଟି ମନ୍ତ୍ର – ସ୍ଵଚ୍ଛତା, ଉତ୍ତରଦାୟିତ୍ଵ ଏବଂ ଅଭିଯୋଗର ତ୍ଵରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି। ଆମ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା ନୀତି’ ଆପଣାଇଛନ୍ତି, ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ କରିଛି। ନବନିଯୁକ୍ତମାନେ ଯେତେ ଦକ୍ଷତାର ସହ କାମ କରିବେ ଏବଂ ସାଧାରଣ ଲୋକଙ୍କୁ ସମ୍ମାନ ଦେବେ, ଆମେ ସେତେ ଶୀଘ୍ର ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ହାସଲ କରିପାରିବା। ଆସନ୍ତୁ, ଏକାଠି ହୋଇ ଲୋକଙ୍କ ବିଶ୍ୱାସଭାଜନ ହେବା ଏବଂ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବା।
ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ‘ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା’। ପ୍ରାଥମିକ ଶିକ୍ଷାକୁ ଆଗକୁ ନେବାକୁ ଚେଷ୍ଟା କରାଯାଇନଥିଲା। କେବଳ 5T ରୁପାନ୍ତରଣ କଥା ଚିନ୍ତା କରିଥିଲେ। ଆଗରୁ ସ୍ମାର୍ଟ କ୍ଲାସ୍ ରୁମ୍ ନାଁରେ ଭଙ୍ଗା କାନ୍ଥରେ କେବଳ ଚୂନ ମରା ଯାଉଥିଲା। ସ୍ମାର୍ଟ ବୋର୍ଡ ନାଁରେ ଖାଲି ବୋର୍ଡ ଲଗାଉଥିଲେ। ଚାଷ ଜମିରୁ ଘାସ ଆଣି କ୍ୟାମ୍ପସରେ ଲନ କରିଥିଲେ। ପ୍ରାଥମିକ ନା ବିଶ୍ୱବିଦ୍ୟାଳୟ କୌଣସି ସ୍ତରରେ ସଫଳତା ମିଳିଲାନି। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସେଥିପାଇଁ ଆମ ସରକାର ମାନବ ସମ୍ବଳ ତିଆରି କରିବାର ଲକ୍ଷ୍ୟ ରଖିଛି। ଓଡ଼ିଶାକୁ ଶ୍ରେଷ୍ଠ ୫ଟି ରାଜ୍ୟରେ ସାମିଲ କରିବା ଆମର ଲକ୍ଷ୍ୟ ରହିବ ଏବଂ ଏଥିରେ ଆପଣମାନଙ୍କ ବଡ଼ ଭୂମିକା ରହିବ।














