୯୫% ଅଭିଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ୯୫% ସମାଧାନ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି ଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ୭ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ । ମିଳିଥିବା ତଥ୍ୟ ଅନୁସାରେ ପଞ୍ଚଦଶ ଅଭିଯୋଗ ଶୁଣାଣି ସୁଦ୍ଧା ୫୬ହଜାରରୁ ଉର୍ଦ୍ଧ ଲୋକ ଏପର୍ଯ୍ୟନ୍ତ ଅଭିଯୋଗ ନେଇ ଆସି ସାରିଛନ୍ତି । ୧୩,୩୫୮ ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୨,୭୪୮ ଅଭିଯୋଗର ସମାଧାନ ହୋଇଛି । ଯାହା ସମୁଦାୟ ଅଭିଯୋଗର ୯୫% ଅଟେ । ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଥିବା ସୂଚନା ମିଳିଛି ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଲୋକଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇପାରୁଛି। ସାଧାରଣ ଲୋକମାନେ ନ୍ୟାୟ ପାଇପାରୁଛନ୍ତି। ଏଥିଯୋଗୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କ ଆସ୍ଥା ଓ ଆଗ୍ରହ ବଢିଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି। ଏ ସରକାର ହେଉଛି ‘ଲୋକଙ୍କ ସରକାର’। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବା ପାଇଁ ଆମେ ପ୍ରତିବଦ୍ଧ। ଜନଶୁଣାଣି, ପାରଦର୍ଶୀ ପ୍ରଶାସନ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ; ଉପରେ ଆଧାରିତ ଆମର ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିପାରିଛି। ଆମ ସରକାରରେ କେହି ଜଣେ ବି ଯେମିତି ନ୍ୟାୟରୁ ବଞ୍ଚିତ ନ ହେବେ, ସେଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ।
ଏହି କ୍ରମରେ, ଆଜି ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଭାଇ-ଭଉଣୀଙ୍କ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆପଣଙ୍କ ଭରସା ହିଁ ଆମର ପ୍ରେରଣା। ଏକ ସମୃଦ୍ଧ, ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ପ୍ରତ୍ୟେକଟି ପଦକ୍ଷେପ ଆପଣଙ୍କ ସେବାରେ ସମର୍ପିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ରବି ନାରାୟଣ ନାୟକ, ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ, ସମ୍ପଦ ସ୍ୱାଇଁ, ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ ।














