ଜଟଣୀ: ଗତମାସଠାରୁ ପ୍ରଥମ ଥର ପାଇଁ ଜଟଣୀ ସହରରେ ଆୟୋଜିତ ପଥ ଉତ୍ସବ ଅନେକ ସଫଳତା ହାସଲ କରି ଲୋକଙ୍କ ମନ ଜିଣିପାରୁଥିବାରୁ ଚଳିତ ମାସ ୩ୟ ରବିବାର ଦିନ ପୁଣି ଥରେ ଏହି ପଥ ଉତ୍ସବ ଆୟୋଜନ ହେବାକୁ ଯାଉଛି। ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଜଟଣୀ ହରିଭାଇନା ଛକଠାରୁ ମହୁଲଗୁଡ଼ିଆ ଛକ ମଧ୍ୟରେ ଗୋଟିଏ ପାର୍ଶ୍ବ ରାସ୍ତାରେ ଏହି ପଥ ଉତ୍ସବ ଆୟୋଜିତ ହୋଇଥାଏ। ଏହି ସମୟରେ ସଙ୍ଗୀତ, ନୃତ୍ୟ, ପାଇକ ଆଖଡ଼ା, ବିଭିନ୍ନ ପ୍ରକାର କ୍ରୀଡା, ସ୍କେଟିଂ, ପଥପ୍ରାନ୍ତ ନାଟକ, ଘୋଡାନାଚ, ବାଘନାଚ, ଯୋଗ ଇତ୍ୟାଦି ସ୍ଥାନୀୟ କଳାକାରମାନଙ୍କୁ ନେଇ ଆୟାଜିତ ହୋଇଥାଏ। ଏହି ଆୟୋଜନ କାରଣରୁ ଅନେକ ପ୍ରତିଭାନ ବ୍ୟକ୍ତି ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବା ସହ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ପଥ ଉତ୍ସବର ଚେୟାରମ୍ୟାନ୍ ବିଶ୍ବରଂଜନ ବଡଜେନା ସୂଚନା ଦେଇଛନ୍ତି। ଏହାକୁ ଆହୁରି ସରସ ସୁନ୍ଦର କରିବା ସହ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ସଂସ୍ଥାର ସଂଯୋଜକ ଅଭିନେତା ଋଷି ପଟ୍ଟନାୟକ ସୂଚନା ଦେଇଛନ୍ତି। ସହ ସଂଯୋଜକ ମନୋଜ ନନ୍ଦ, ସତୀଶ ଶର୍ମା, ସୁଦର୍ଶନ ସୁନ୍ଦରାୟ ପ୍ରମୁଖ ସାମ୍ବାଦିକ ସମ୍ମିଳନୀକୁ ପରିଚାଳନାକ କରିଥିଲେ।














