ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଟ୍ରାକରେ ଦୌଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମାଲଦା ରେଳ ଷ୍ଟେସନରୁ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ହାୱଡାରୁ ଗୌହାଟୀ (କାମାକ୍ଷା) ମଧ୍ୟରେ ଚଳାଚଳ କରିବ । ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କରିବା ସହ ୩୨୫୦ କୋଟି ଟଙ୍କାର ରେଳ ଓ ସଡକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଜନସଭାକୁ ସମ୍ଭୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଟିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ , କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।
ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ”ଆଜି ମାଲଦାରୁ ପଶ୍ଚିମବଙ୍ଗକୁ ପ୍ରଗତିକୁ ଗତି ଦେବାର ଅଭିଯାନ ଅଧିକ ଦ୍ରୁତ ହୋଇଛି । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଛି । ନୂଆ ରେଳ ସେବା ପଶ୍ଚିମବଙ୍ଗକୁ ମିଳିଛି । ଏହାଦ୍ୱାରା ଲୋକଙ୍କୁ ଯାତ୍ରା ସହଜ ହେବ । ବ୍ୟବସାୟ, କାରବାର ସହଜ ହେବ । ଟ୍ରେନ୍ ସୁବିଧା ବଙ୍ଗ ଯୁବଶକ୍ତିଙ୍କୁ ନୂଆ ଅବସର ଦେବ । ଆଜି ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ । ଏହା ମେଡ୍ ଇନ୍ ଇଣ୍ଡିଆ, ଏହା ଆମ ଭାରତୀୟଙ୍କ ଝାଳରେ ତିଆରି ହୋଇଛି । ଏହା ମା’ କାଳୀଙ୍କ ଭୂମିକୁ ମା’ କାମାକ୍ଷାଙ୍କ ଭୂମି ସହିତ ସଂଯୋଗ କରୁଛି । ଭବିଷ୍ୟତରେ,ଏହି ଆଧୁନିକ ଟ୍ରେନ୍ ସାରା ଦେଶରେ ବିସ୍ତାରିତ ହେବ। ଏହି ଆଧୁନିକ ସ୍ଲିପର୍ ଟ୍ରେନ୍ ପାଇଁ ବଙ୍ଗଳା, ଆସାମ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଉଛି । ଆଜି, ବଙ୍ଗଳା ଆଉ ୪ଟି ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପାଇଛି । ନୂଆ ଜଳପାଇଗୁଡ଼ି-ନାଗରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ୍, ନୂଆ ଜଳପାଇଗୁଡ଼ି-ତିରୁଚ୍ଚିରାପାଲି ଅମୃତ ଭାରତ ଏକ୍ସପ୍ରେସ୍,ଆଲିପୁରଦୁଆର-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍, ଆଲିପୁରଦୁଆର-ମୁମ୍ବାଇ ଅମୃତ ଭାରତ ଏକ୍ସପ୍ରେସ୍ । ଏହା ଦକ୍ଷିଣ ଏବଂ ପଶ୍ଚିମ ଭାରତ ସହିତ ବଙ୍ଗଳା, ବିଶେଷକରି ଉତ୍ତର ବଙ୍ଗଳାର ସଂଯୋଗକୁ ଆହୁରି ସୁଦୃଢ଼ କରିବ । ”
ଏହି ଟ୍ରେନ୍ ୧୬ଟି କୋଚ୍ ବିଶିଷ୍ଟ ଏବଂ ସମ୍ପୂର୍ଣ୍ଣ ଏୟାର୍-କଣ୍ଡିସନ୍ ଯୁକ୍ତ। ଏଥିରେ ୧୧ଟି ଏସି-ଥ୍ରି ଟିୟର, ୪ଟି ଏସି-ଟୁ ଟିୟର ଏବଂ ୧ଟି ଫାର୍ଷ୍ଟ ଏସି କୋଚ୍ ରହିଛି, ଯାହା ମୋଟ ୮୨୩ ଯାତ୍ରୀଙ୍କୁ ବସିବାକୁ ସ୍ଥାନ ଦେବ। ଟ୍ରେନର ସର୍ବାଧିକ ଗତି ୧୮୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିଛି। ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧା ଯେପରିକି ସଫ୍ଟ ନାଇଟ୍ ଲାଇଟିଂ, ପର୍ସନାଲ୍ ରିଡିଂ ଲାଇଟ୍, ଚାର୍ଜିଂ ପଏଣ୍ଟ, ସିସିଟିଭି କ୍ୟାମେରା, ମଡ୍ୟୁଲାର୍ ପ୍ୟାଣ୍ଟ୍ରି ଏବଂ ଅଟୋମେଟିକ୍ ଡୋର୍ ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଭାରତୀୟ ରେଳବାଇ ଅଭୂତପୂର୍ବ ଭାବେ ବିକାଶ, ଆଧୁନିକ ରୋଲିଂ ଷ୍ଟକ୍ ପରିଚାଳନା ଏବଂ ଯାତ୍ରୀ-କେନ୍ଦ୍ରିକ ସୁଧାର କରି ଆସୁଛନ୍ତି।
୨୦୨୬ ମସିହା ଶେଷ ସୁଦ୍ଧା ୧୨ଟି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚାଲୁ ହେବାର ଯୋଜନା ରହିଛି, ଯାହା ଦେଶର ବିଭିନ୍ନ ଦୀର୍ଘଦୂରତା ବିଶିଷ୍ଟ ରୁଟ୍ ଗୁଡ଼ିକରେ ସେବା ପ୍ରଦାନ କରିବ। ଏହି ନୂଆ ସେବା ଯାତ୍ରୀମାନଙ୍କୁ ବିମାନ ଯାତ୍ରାର ବିକଳ୍ପ ଭାବେ ଅଧିକ ସୁବିଧାଜନକ ଏବଂ ସୁଲଭ ବିକଳ୍ପ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉଦ୍ୟମକୁ ସଫଳ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଦେଶରେ ଆହୁରି ଅଧିକ ବନ୍ଦେ ଭାରତ ସେବା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ପଦକ୍ଷେପ ଭାରତକୁ ଅଧିକ ଉନ୍ନତ ଓ ଆଧୁନିକ ରେଳ ସେବା ଦିଗରେ ଆଗକୁ ନେବ ବୋଲି ସମସ୍ତେ ଆଶାବାଦୀ।














