ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ଲକଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଖରାବେଳେ ଅଭାବନୀୟ ଘଟଣା ଘଟିଛି।ଘର ପଛ ପଟେ ରୋଷେଇ କଲାବେଳେ ନିଆଁ ଲାଗି ପ୍ରଥମେ ପାଳ ଗଦା ଓ ରୋଷେଇ ଘର ପୋଡି ଯାଇଥିଲା।ସେଥିରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ମୃତ ମହିଳା ହେଲେ ରିନୀକୁମାରୀ ଦଳାଇ (୨୫)।ନିଆଁ ଲାଗିବା ଖବରପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ସେତେବେଳକୁ ମହିଳା ଜଣକ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା।ପରେ ଲକଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବିଜୁ ମେମୋରିଆଲ ହସପିଟାଲରେ ସଂରକ୍ଷିତ ରଖିଛି।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।ମୃତ ମହିଳାଙ୍କର ୭ ମାସର ଶିଶୁ ପୁତ୍ର ଓ ରୋଗାକ୍ରାନ୍ତ ଶ୍ବଶୁର ଏହି ନିଆଁ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ମହିଳାଙ୍କ ଶାଶୁ କର୍କଟ ରୋଗର ଆକ୍ରାନ୍ତ ଥିବାରୁ ସେ କଟକରେ ଚିକିତ୍ସିତ ହେଉଛନ୍ତି।ସେଠାରେ ସ୍ବାମୀ ନଣନ୍ଦ ଅଛନ୍ତି।ଏପରି ସମୟରେ ଅଗ୍ନିକାଣ୍ଡ ଯୋଗୁଁ ଘରର ବୋହୁ ଦଗ୍ଧ ହେବା ଘଟଣା ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି।














