ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଠାରେ ମୁସଲମାନଙ୍କ ଏକ ତିନି ଦିନିଆ ରାଜ୍ୟସ୍ତରୀୟ ଧର୍ମସମ୍ମିଳନୀ , “ତବଲିଗି ଇଜତେମା” , ସୋମବାର ଶେଷ ହୋଇଛି। ବହୁ ପ୍ରସିଦ୍ଧ ମୁସଲିମ ଧର୍ମଗୁରୁ ଇଜତେମାରେ ପ୍ରବଚନ ଦେଇଥିଲାବେଳେ , ସମାପନ ପୂର୍ବରୁ ମୁମ୍ବାଇର ମୋଲାନା ଉସମାନ ଶାନ୍ତି, ମୈତ୍ରୀ ତଥା ଭାଇଚାରାର ବାରତା ଦେଇ, ମାନବ ସମାଜ ସମସ୍ତ ସଦଗୁଣକୁ ଆପଣେଇ ଜୀବନକୁ ସରସ ସୁନ୍ଦର କରିବାପାଇଁ ଆଲହାଙ୍କ ଉଦ୍ଦେଶ୍ୟରେ ଏକ ଆବେଗମୟ ସମବେତ ପ୍ରାର୍ଥନା – “ଦୁଆ”ର ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଲାନା ମସିଉଲ୍ଲାହ ଏବଂ ମୋଲାନା ଦାଉଦ ବକ୍ତବ୍ୟ ରଖିଥିଲେ।
ପ୍ରବଳ ଥଣ୍ଡା ସତ୍ତ୍ୱେ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ମୁସଲମାନ ଏହି ବାର୍ଷିକ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଇଜତେମାର ମୁଳ ଉଦେଶ୍ୟ ହେଉଛି ମହାପୁରୁଷ ମହମ୍ମଦଙ୍କ ଜୀବନଶୈଳୀ ଏବଂ ଶିକ୍ଷା ଅନୁସରଣ କରି ମୁସଲମାନମାନଙ୍କ ମଧ୍ୟରେ ସଂସ୍କାର ଆଣିବା। ଏହାସହ ସମ୍ପ୍ରଦାୟର ଲୋକମାନଙ୍କୁ ଚାଳିଶ ଦିନ ଅଥବା ଚାରି ମାସ ପାଇଁ ପ୍ରଚାର ଅଭିଯାନ ପାଇଁ ସାଥିରେ ନେଇ ଲକ୍ଷ୍ୟ ହାସଲ ପାଇଁ ଉତ୍ସାହିତ କରିବା।
ଇଜତେମାର ସ୍ୱେଚ୍ଛାସେବକମାନେ ଏହାର ପରିଚାଳନା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବାସହ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ। ଏହି ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୁଚାର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ‘ବିଧାୟକ’ ପ୍ରତାବ ଦେବ, ସ୍ଥାନୀୟ ଇଜତେମା କମିଟିର ସଭାପତି ଶେଖ ମୁସ୍ତାକ ଅହମ୍ମଦ, ସ୍ଥାନୀୟ ଶାନ୍ତି କମିଟିର ସଭାପତି ଭୀଷ୍ମ ମହାନ୍ତି ଏବଂ ମୋଲାନା ନୁରୁଦ୍ଦିନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ପୋଲିସ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏବଂ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଇନ୍ସପେକ୍ଟର , ରଙ୍ଗବଲ୍ଲଭ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା।














