ପୁରୀ : ବ୍ରହ୍ମାଣ୍ଡ ନାୟକଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ସରସ୍ବତୀ ପୂଜାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନିଟି କାଠକୁ ବିଧି ବିଧାନ ମୁତାବକ ପୂଜା କରାଯାଇଛି। ରାଜନଅର ପକ୍ଷରୁ ଗଜପତିଙ୍କ ପ୍ରତିନିଧି ଭାବେ ଦେବୀପ୍ରସାଦ ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ପଞ୍ଚାମୃତ, ଚନ୍ଦନ, ସିନ୍ଦୂର, ଫୁଲ, ଶ୍ରୀଫଳ ଓ ମହାପ୍ରସାଦ ଅର୍ପଣ କରାଯାଇଥିଲା। ରଥ ନିର୍ମାଣ ସୃଜନୀ କାର୍ଯ୍ୟ ହୋଇଥିବାରୁ ମା’ ବାଗଦେବୀଙ୍କୁ ଆବାହନ କରାଯାଇଥିଲା। ଏଥିସହ ବରୁଣ ପୂଜା ଏବଂ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ତାଙ୍କ ଯାତ୍ରା ନିର୍ବିଘ୍ନରେ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା।
ପୂଜା, ଆଳତି ସହ ପୁଷ୍ପାଞ୍ଜଳି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂହ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଓ ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂଜା ବିଧି ସମ୍ପନ୍ନ ହୋଇଥିଲା। ରଥଯାତ୍ରା ନିର୍ବିଘ୍ନରେ ସମ୍ପନ୍ନ ହେବା ନେଇ ପ୍ରଶାସକ, ସେବାୟତମାନେ ପ୍ରାର୍ଥନା କରିଥିଲେ।














