ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ସିଏମ୍ ମୋହନ ଚରଣ ମାଝୀ ଗ୍ଲୋବାଲ ଫାଇନାନ୍ସିଆଲ ଟେକ୍ନୋଲୋଜି ନେଟୱର୍କ (GFTN)ର ସିଇଓ ଶ୍ରୀ ରବି ମେନନ, ଆକ୍ସିଓନର ସିଇଓ ଶ୍ରୀ ମାଇକେଲ୍ ଶ୍ଲାଇନ ଓ ଆଣ୍ଟ ଇଣ୍ଟରନ୍ୟାସନାଲର ଚେୟାରମ୍ୟାନ୍ ଶ୍ରୀ ଡଗ୍ଲାସ୍ ଫିଗିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ବ୍ଲାକ୍ ସ୍ୱାନ୍ ସମ୍ମିଟ ଅବସରରେ ଏହି ପ୍ରତିନିଧି ଦଳ ଭୁବନେଶ୍ୱର ଆସିଥିଲେ ।
ଅତିଥିମାନଙ୍କୁ ଓଡ଼ିଶାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଗ୍ରହଣ କରିଥିବା ରୂପାନ୍ତରମୂଳକ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ପୂର୍ବାଧାର ବିକାଶ, କୃଷକ ଓ ମହିଳା ସଶକ୍ତିକରଣ ଦିଗରେ ହୋଇଥିବା ପ୍ରୟାସ ସଫଳ ପରିଣାମ ଦେଉଛି ବୋଲି ସେ କହିଥିଲେ । ଆଲୋଚନା ସମୟରେ GFTN ଚେୟାରମ୍ୟାନ ଶ୍ରୀ ମେନନ ସୂଚନା ଦେଇଥିଲେ ଯେ, ଫିନଟେକ୍ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଥିବା ଓଡ଼ିଶାର ୧୯୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ୍ ତାଲିମ ସମାପ୍ତ କରି ବିଭିନ୍ନ କର୍ପୋରେଟ୍ ସଂସ୍ଥାରେ କାର୍ଯ୍ୟରତ ହୋଇଛନ୍ତି । ତାଙ୍କ ମଧ୍ୟରୁ କେତେକ ଛାତ୍ର ସିଙ୍ଗାପୁର ଓ ଅନ୍ୟ ବିଦେଶୀ ଦେଶରେ ମଧ୍ୟ ଚାକିରି ପାଇଛନ୍ତି । GFTN–ଓଡ଼ିଶା ଭାଗୀଦାରୀକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରାଯିବ ଏବଂ ଯୁବମାନଙ୍କ ମଧ୍ୟରେ ଉଦ୍ୟମ ବିକାଶ ପାଇଁ ବୁଟ୍ କ୍ୟାମ୍ପ ଆୟୋଜନ କରାଯିବ ବୋଲି ସେ କହିଥିଲେ ।
Accionର ସିଇଓ ଶ୍ରୀ ଶ୍ଲାଇନ ଓ ଆଣ୍ଟ ଇଣ୍ଟରନ୍ୟାସନାଲର ଚେୟାରମ୍ୟାନ୍ ଶ୍ରୀ ଫିଗିନ କହିଥିଲେ ଯେ, ସେମାନେ ରାଜ୍ୟର କିଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀ (SHG) ପରିଦର୍ଶନ କରି ତାଙ୍କର ବ୍ୟବସାୟ ମଡେଲକୁ ପ୍ରଶଂସା କରିଛନ୍ତି । SHG ମହିଳାମାନଙ୍କୁ SME ରୂପେ ଗଢ଼ି ଉଠିବା ପାଇଁ ପ୍ରଯୁକ୍ତି, ଇ–କମର୍ସ ସହାୟତା ଦିଆଯିବ । ଓଡ଼ିଶାର SHG ମହିଳାମାନେ ତାଙ୍କ ପଣ୍ୟକୁ ରପ୍ତାନି କରିବାରେ ସକ୍ଷମ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପ୍ରତି ତାଙ୍କର ଆଗ୍ରହ ଓ ସହଯୋଗ ଇଚ୍ଛା ପାଇଁ ଶ୍ରୀ ମେନନ, ଶ୍ରୀ ଶ୍ଲାଇନ ଓ ଶ୍ରୀ ଫିଗିନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ବୈଠକରେ ମୁଖ୍ୟ ସଚିବ ସହିତ ରାଜ୍ୟ ସରକାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।














