ଭୁବନେଶ୍ୱର: ସାମ୍ବାଦିକତା ତାହାର ସ୍ୱଚ୍ଛତା ବଜାୟ ରଖିବା ଉପରେ ସାପ୍ତହିକ ‘ମୁକ୍ତ କଲମ’ର ୨୯ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆହ୍ୱାନ ଦେଇଛନ୍ତି । ରବିବାର (୮ ତାରିଖ) ସନ୍ଧ୍ୟାରେ ସ୍ଥାନୀୟ ତିନି ନମ୍ବର ୟୁନିଟସ୍ଥିତ ବୁଦ୍ଧ ମନ୍ଦିରରେ ଏହି ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା । ‘ମୁକ୍ତ କଲମ’ର ପ୍ରତିଷ୍ଠାତା ତଥା ସଂପାଦକ ଜ୍ଞାନ ରଂଜନ ଦାସ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ବିଶ୍ୱବାଣୀର ସଂପାଦକ ଅର୍ଜୁନ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ଭାଷାବିତ ପଦ୍ମଶ୍ରୀ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି, ପୂର୍ବତନ ଆୟକର ବିଭାଗ ଆୟୁକ୍ତ ଶରତ ଦାସ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ସାହିତ୍ୟିକା, ଗବେଷିକା ତଥା ପ୍ରକାଶିକା ଡ.ସୁନିତି ମୁଣ୍ଡ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ପ୍ରତିକୂଳ ପରିସ୍ଥିତିରେ ସମ୍ବାଦପତ୍ରକୁ ବଂଚାଇ ରଖିବା କେତେ କଷ୍ଟକର ହୋଇପଡିଛି ସେ ସଂପର୍କରେ ‘ବିଶ୍ୱବାଣୀ’ ସଂପାଦକ ଅର୍ଜୁନ ମୁଦୁଲି ବିସ୍ତୃତ ଭାବେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିବା ସହ କ୍ଷୁଦ୍ର ହେଉ ବା ବଡ ଖବରକାଗଜକୁ ହେଉ ନିଜର ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଯେତେବେଳ ସରକାର ଖବରକାଗଜ ଅର୍ଥନୀତିକୁ ନିୟନ୍ତ୍ରଣ କରି ଆସୁଛନ୍ତି ଏବଂ ସରକାରଙ୍କ ବିଜ୍ଞାପନ ନୀତି ଅତ୍ୟନ୍ତ ଛୋଟ ହେଉ ବଡ ଖବରକାଗଜ ବଂଚିବ କେମିତି ଓ ମୁକ୍ତ ସାମ୍ବାଦିକତା ହେବ କେମିତି (?) ବୋଲି ସେ ପ୍ରଶ୍ନ କରିଥିଲେ । ସମ୍ବାଦପତ୍ର ସଂପାଦକ ଓ ସାମ୍ବାଦିକମାନେ ନିଜ ନ୍ୟାର୍ଯ୍ୟ ଅଧିକାର ପ୍ରାପ୍ତ କରିବା ସକାଶେ ସଂଗଠିତ ଭାବେ ସ୍ୱର ଉତ୍ତୋଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ‘ମୁକ୍ତ କଲମ’ ସଂପାଦକ ଜ୍ଞାନ ରଂଜନ ଦାସ ବିଗତ ୨୮ ବର୍ଷ ଧରି ବହୁ ବାଧାବିଘ୍ନ ମଧ୍ୟରେ ତାଙ୍କ ବଂଚାଇ ରଖି ଥିବାରୁ ଓ ମୁକ୍ତ ଭାବେ ସମାଜ ପାଇଁ ସ୍ୱର ଉତ୍ତୋଳନ କରୁଥିବାରୁ ମୁଦୁଲି ତାଙ୍କୁ ସାଧୁବାଦ ଜଣାଇବା ସହ ଏହି ସାପ୍ତାହିକ ଖବରକାଗଜଟି ଶତାୟୁ ହେଉ ବୋଲି କାମନା କରିଥିଲେ । ଭାଷାବିତ ପଦ୍ମଶ୍ରୀ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ ୨୯ତମ ସ୍ୱନକ୍ଷତ୍ର ପାଳନ କରୁଥିବା ‘ମୁକ୍ତ କଲମ’କୁ ଆଶୀର୍ବାଦ ଦେଇଥିଲେ । ଓଡ଼ିଆ ଭାଷା, ସଂସ୍କୃତି ଓ ସମାଜକୁ ଅଧିକ ଋଦ୍ଧିମନ୍ତ କରିବା ଦିଗରେ ‘ମୁକ୍ତ କଲମ’ କାର୍ଯ୍ୟ ଜାରି ରଖୁ ବୋଲି ସେ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଆୟକର ବିଭାଗର ପୂବତନ ଆୟୁକ୍ତ ଶରତ ଦାସ, ସାହିତ୍ୟିକା, ଗବେଷିକା ତଥା ଲେଖିକା ଡ.ସୁନିତି ମୁଣ୍ଡ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ‘ମୁକ୍ତ କଲମ’ର ଦୀର୍ଘ ଜୀବନ କାମନା କରିବା ସହ ସାମ୍ବାଦିକତା ମୁକ୍ତ ଓ ନିରପେକ୍ଷ ହେବାକୁ ହେଲେ ସରକାରୀ ଅଙ୍କୁଶରୁ ମୁକ୍ତ ହେବା ଆବଶ୍ୟକ ବୋଲି ମତ ଦେବା ସହ ଖବରକାଗଜ ଓ ସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କ ସୁଦୃଷ୍ଟି ରହୁ ବୋଲି ଆହ୍ୱାନ ଦେଇଥିଲେ । ସଂପାଦକ ଓ ସାମ୍ବାଦିକମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଲେ ହିଁ ସେମାନେ ମୁକ୍ତ ଭାବେ ଜନସମସ୍ୟାର ଉପସ୍ଥାପନ କରି ପାରିବେ ଓ ଖବରକାଗଜକୁ ବଂଚାଇ ରଖି ପାରିବେ । ତେଣୁ, ରାଜ୍ୟରେ ସେଭଳି ବାତାବରଣ ସୃଷ୍ଟି କରାଯାଉ ବୋଲି ସେମାନେ ମତବ୍ୟକ୍ତ କରିବା ସହ ସାପ୍ତାହିକ ‘ମୁକ୍ତ କଲମ’ ମୁକ୍ତ ଭାବେ ତାହାର କାର୍ଯ୍ୟ ସଂପାଦକ କରିବାକୁ ପରାମର୍ଶ ଦେଇଥିଲେ । ସଂପାଦକ ଜ୍ଞାନ ରଂଜନ ଦାସ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବହୁ ବାଧାବିଘ୍ନ ମଧ୍ୟରେ ସେ ୨୮ ବର୍ଷ ହେଲା ନିଜ ଖବରକାଗଜକୁ ବଂଚାଇ ରଖିଛନ୍ତି, ଆଗକୁ ମଧ୍ୟ ବଂଚାଇ ରଖିବେ ବୋଲି ସଭାରେ ପ୍ରତିଶ୍ରୁତି ଦେବା ସହ ପାଠକ, ଶୁଭେଚ୍ଛୁ ଓ ବିଜ୍ଞାପନଦାତା ହିଁ ଯେକୌଣସି ଖବରକାଗଜର ଶ୍ରେଷ୍ଠ ସଂପଦ ବୋଲି କହିଥିଲେ । ଏହି ସ୍ୱନକ୍ଷତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶେଖ୍ ସିରାଜ ମହମ୍ମଦ, ‘ଅନୁପମ ଭାରତ’ର ରାଜ୍ୟ ସ୍ୱତନ୍ତ୍ର ପ୍ରତିନିଧି ପି.ପ୍ରସାଦ ରାଓଙ୍କ ସମେତ ଅନ୍ୟମାନେ ବକ୍ତବ୍ୟ ରଖି ଥଲେ । ଓଡ଼ିଶାରେ ସାମ୍ବାଦିକମାନେ ଘୋର ପ୍ରତିକୂଳ ପରିସ୍ଥିତି ମଧ୍ୟରେ କାର୍ଯ୍ୟ ସଂପାଦନ କରି ଆସୁଥିବା ସେମାନେ କହିଥିଲେ । ହାତରେ ଥିବା କଲମଟି ଯେତେବେଳେ ନିରବ ହୋଇଯିବ ସେତେବେଳ ସେହି ସାମ୍ବାଦିକକୁ ଲୋକ ଭୁଲି ଯିବେ । ତେଣୁ, ଜଣେ ସାମ୍ବାଦିକ କଲମ ଚଳାଇ ରଖିବା ଆବଶ୍ୟକ ବୋଲି ବରିଷ୍ଠ ସାମ୍ବାଦିକ ପି.ପ୍ରସାଦ ରାଓ କହିଥିଲେ । ‘ଅନୁପମ ଭାରତ’ର ପରିଚାଳକ ରଜତ ମହାପାତ୍ର, ‘ତୀକ୍ଷ୍ଣ ଦୃଷ୍ଟି’ର ସଂପାଦକ ସନ୍ତୋଷ ସେନାପତି, ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ, ‘ବିଶ୍ୱବାଣୀ’ ସହ ସଂପାଦିକା ପଙ୍କଜିନୀ ବେହେରା, ମଚଂ ଘୋଷିକା ଅନୁସୂୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କୁନି କୁନି ଓଡ଼ିଶୀ ନୃତ୍ୟ ଶିଳ୍ପୀମାନେ ମଂଚରେ ମଂଗଳାଚରଣ ପରିବେଷଣ କରି ଉପସ୍ଥିତ ଅତିଥିମାନଙ୍କୁ ବିମୋହିତ କରିଥିଲେ । ଏହି ଅବସରରେ ସାପ୍ତାହିକ ‘ମୁକ୍ତ କଲମ’ରବାର୍ଷିକ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ସ୍ୱନକ୍ଷତ୍ର ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ୨୨ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତଙ୍କ ମଧ୍ୟରେ ଅଛନ୍ତି, ପବିତ୍ର କୁମାର ସ୍ୱାଇଁ, ଇଂଜିନିୟର ଗିରିଜା ନନ୍ଦିନୀ ପତି, ମାନସ ରଂଜନ ପଣ୍ଡା, ଡ.ପ୍ରଭାତ କୁମାର ରାଉତ, ଇଂଜିନିୟର ସରୋଜ କୁମାର ପଟ୍ଟନାୟକ, ସ୍ୱାଗତିକା ସେଠୀ, ବିଜୟ ଦାସ, ଯୋଗୀ ଜୀରନ ନାୟକ, ପ୍ରିତମ କୁମାର, ଅମିତ କୁମାର ନାୟକ, ସ୍ୱପ୍ନା ବିଜୟିନୀ, ଶେଖ୍ ସିରାଜ ମହମ୍ମଦ, ଗୌତମ ବେହେରା, ରାଜୀବ ଲୋଚନ ପଣ୍ଡା, ସଂଜୟ କୁମାର ପଣ୍ଡା, ଚନ୍ଦନ ଜେନା, ଅଭୟ କୁମାର ପୃଷ୍ଠି, ଡ.ପଲ୍ଲବୀ ପଟ୍ଟନାୟକ, ହୃଦାନନ୍ଦ ସାହୁ, କାର୍ଯ୍ୟକ୍ରମ ପରିବେଷିକା ଅନୁସୂୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ ଶେଷରେ ଧନ୍ୟବାଦ ଦେଇଥିଲେ ।














