ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ
ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଲକ୍ଷ୍ୟ ହାସଲ ନେଇ ଆଲୋଚନା
୨୦୨୫-୨୬ ବଜେଟ୍ ଅନୁମୋଦନକୁ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ ଶେଷ କର
ଭୁବନେଶ୍ୱର : ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉ। ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବସ୍ତରୀୟ ବୈଠକରେ ସମୀକ୍ଷା କରି ଏହି ନିର୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରସ୍ତୁତି ହୋଇଥିବା ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଓଡ଼ିଶାର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ ପାଇଁ ଏଥିପ୍ରତି ସମସ୍ତ ବିଭାଗମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ନିଯୁକ୍ତି ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଜୁନ୍ ୨୦୨୬ ସୁଦ୍ଧା ୬୫,୦୦୦ ନିଯୁକ୍ତି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂତନ ସରକାର ଗଠନ ପରେ ଅଦ୍ୟାବଧି ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ନିଯୁକ୍ତି ମେଳା ମାଧ୍ୟମରେ ୩୯,୫୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା । ୩ ମାସ ମଧ୍ୟରେ ଆଉ ୩୪,୬୪୧ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତାବ ମିଳିଛି। ସେଥିପାଇଁ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଆଦିଙ୍କୁ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଛି । ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗମାନଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ନିୟମିତ ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ନିୟମିତ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୫-୨୬ ବଜେଟ୍ ଅନୁମୋଦନ ଅନୁସାରେ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବଜେଟ ଖର୍ଚ୍ଚ ଶେଷ କରିବା ଓ ସଂପୃକ୍ତ ବିଭାଗମାନଙ୍କ ଦ୍ୱାରା ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ସଂପର୍କରେ ଆଲୋଚନା କରାଯାଇଥିଲା । ସାଂସଦ ଓ ବିଧାୟକମାନେ ଦେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ଏବଂ ପ୍ରକଳ୍ପଗୁଡ଼ିକୁ ବିଭାଗମାନେ ଅନୁଧ୍ୟାନ କରିବା ଏବଂ ସେସବୁର କାର୍ଯ୍ୟକାରିତା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇଥିଲେ ।














