ଟାଙ୍ଗୀ ସ୍ଥିତ ପ୍ରମୋଦ ଉଦ୍ୟାନ ଉନ୍ନତିକରଣ ସହ ପର୍ଯ୍ୟଟନର ବିକାଶ ନିମନ୍ତେ ସମୀକ୍ଷା
- କଟକ ଜିଲ୍ଲାରେ ଦୁଇଟି ନୂତନ ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ ଉଦଘାଟିତ
- ଜଗତପୁରସ୍ଥିତ କୃଷି ଭବନ ଉଦ୍ଘାଟିତ
କଟକ: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦିନିକିଆ କଟକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଅପରାହ୍ନରେ ପ୍ରଥମେ ଟାଙ୍ଗୀ ସ୍ଥିତ ୧୧୦୦ଏକର ପରିମିତ ଅଞ୍ଚଳର ପ୍ରମୋଦ ଉଦ୍ୟାନ ପରିଦର୍ଶନ କରି ସେଠାକାର ମୃତ୍ତିକା ପରୀକ୍ଷଣ ଓ ସଂରକ୍ଷଣ ସହ ନୂତନ କୌଶଳ ପ୍ରୟୋଗ କରାଯାଇ ଉଦ୍ୟାନର ଉନ୍ନତିକରଣ କରାଯିବା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପର୍ଯ୍ୟଟନସ୍ଥଳୀ ଭାବେ ଉଦ୍ୟାନର ସମଗ୍ର ବିକାଶ ସହ ଅଞ୍ଚଳର ଆର୍ଥିକ ବିକାଶ ନିମନ୍ତେ ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କ ସହ ବିସ୍ତୁତ ଆଲୋଚନା ହୋଇଥିଲା । ଆଲୋଚନା ପୂର୍ବକ ଏହି ସମୀକ୍ଷା ବୈଠକରେ ଅବଗତ ହେବା ପରେ ହାତୀ ମାନଙ୍କ କବଳରୁ କିଭଳି ଭାବେ ଉଦ୍ୟାନର ସୁରକ୍ଷା କରାଯାଇପାରିବ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ଏଥି ନିମନ୍ତେ ଏକ ପ୍ରସ୍ତାବ ରଖାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ । ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ଵାଗତ ଭାଷଣ ସହ ଉଦ୍ୟାନର ଉନ୍ନତିକରଣ ନିମନ୍ତେ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ପଣ୍ଡା , ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ , କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକସେନାଙ୍କ ଉପସ୍ଥିତିରେ ମାନ୍ୟବର ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ବିଶିଷ୍ଠ ଜନନେତା ଶ୍ରୀ ଅରିନ୍ଦମ ରାୟଙ୍କ ସମେତ ସ୍ଥାନୀୟ ଜିଲ୍ଲାପରିଷଦ ଓ ଗ୍ରାମ ପଞ୍ଚାୟତ ସଦସ୍ୟମାନେ ଉପସ୍ଥିତ ରହି ଉଦ୍ୟାନର ଉନ୍ନତି ନିମନ୍ତେ ଆବଶ୍ୟକତା ତଥା ସେ ଅଞ୍ଚଳର ବିକାଶ ସମ୍ପର୍କରେ ମତାମତ ରଖିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।
ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଥମେ ବିଶ୍ୱନାହାକାଣିଠାରେ ୧୪.୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ସରକାରଙ୍କ ODSSP – IV ଯୋଜନା ଅନ୍ତର୍ଗତ 33/11 କେଭି ବିଶ୍ଵନାହାକାଣୀ ପ୍ରାଥମିକ ସବଷ୍ଟେସନ ଓ ମଙ୍ଗୁଳି ଠାରେ ୧୬.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ OERC କ୍ୟାପେକ୍ସ ଯୋଜନା ଅନ୍ତର୍ଗତ 33/11 କେଭି ମଙ୍ଗୁଳି ପ୍ରାଥମିକ ସବଷ୍ଟେସନର ଶୁଭ ଉଦଘାଟନ କରିବା ସହ ସମୟ ଅନୁସାରେ ଏହି ପ୍ରକଳ୍ପ ଶେଷ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଏହି ୨ଟି ସବଷ୍ଟେସନର ସ୍ଥାପନ ଦ୍ଵାରା ଦୀର୍ଘଦିନ ଧରି ରହିଆସୁଥିବା ଲୋ ଭୋଲ୍ଟେଜ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ସ୍ଥାନୀୟ ଲୋକମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ ହେବ। ଏଥିସହ ଏହି ପ୍ରକଳ୍ପ ସ୍ଥାପନ ଦ୍ଵାରା ୧୦ଟି ଗ୍ରାମପଞ୍ଚାୟତ ଓ ୪୬ଟି ଗ୍ରାମର ପ୍ରାୟ ୧,୮୦୦ରୁ ଅଧିକ ଉପଭୋକ୍ତା ଲାଭାନ୍ଵିତ ହେବେ ବୋଲି ଟିପିସିଡ଼ିଓଏଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆୟୋଜିତ ବୈଠକରେ ସିଇଓ ଶ୍ରୀ ଅରବିନ୍ଦ ସିଂ , ସିଓଓ ଶ୍ରୀ ଦୁଶ୍ୟନ୍ତ ତ୍ୟାଗୀ , ପ୍ରକଳ୍ପ ମୁଖ୍ୟ ଶ୍ରୀ ସୌରଭ ବିଶ୍ବାସ ଏବଂ ଶ୍ରୀ ବସନ୍ତ ତରିଆ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପରେ ପରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଜଗତପୁରସ୍ଥିତ କୃଷି ଭବନ ଉଦ୍ଘାଟନ କରି ସେଠାରେ ଏକ ସଭାରେ ଯୋଗଦେଇ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟ ସରକାର ଉଦ୍ଯୋଗୀ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଚାଷୀ ମାନଙ୍କ କୁଶଳତା ଉପରେ ଗୁରୁତ୍ଵ ଦେଉଥିବା ସେ କହିଛନ୍ତି। ଚାଷ କାର୍ଯ୍ୟ ଓ ଚାଷୀ ମାନଙ୍କ ସମସ୍ୟା ସମାଧାନ କରାଯାଇ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟ ଭାବେ ପରିଗଣିତ କରାଯାଉଛି । ଏହି ଅବସରରେ ଚୌଦ୍ବାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, କଟକ ସଦର ବିଧାୟକ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି କୃଷି ଭବନ ଉଦ୍ଘାଟନ ପରେ ଜିଲ୍ଲାରେ କୃଷି କ୍ଷେତ୍ରରେ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରଶିଶିକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସଭା କାର୍ଯ୍ୟରେ ଅଧ୍ୟକ୍ଷତା କରି ସ୍ବାଗତ ଜଣାଇବା ସହ କୃଷି ଭବନ ନିର୍ମାଣରେ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ପ୍ରାଶାସନିକ ସ୍ତରରେ ସମସ୍ତ କାର୍ଯ୍ୟ ନିର୍ବାହ କରାଯାଇଅଛି ବୋଲି କହିଥିଲେ।ଡିସିପି ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଡେପୁଟି ମେୟର ଦମୟନ୍ତୀ ମାଝୀ ଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ,ଶ୍ରୀ ଶୁଭମ୍ ସକ୍ସେନା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ପଣ୍ଡା,ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।














