ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଦେଲା ବିଜେଡି। ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କରିଛନ୍ତି। ନବୀନ କହିଛନ୍ତି ଯେ, ସଂତୃପ୍ତ ଆମ ଦଳର ପ୍ରାର୍ଥୀ ଏବଂ ଡା ଦତ୍ତେଶ୍ଵର ହୋତା କମନ୍ କ୍ୟାଣ୍ଡିଡେଟ୍। ଦତ୍ତେଶ୍ଵରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି ନବୀନ ଅପିଲ୍ କରିଛନ୍ତି। ନାମ ଘୋଷଣା ପରେ ସଂତୃପ୍ତ ଏବଂ ଦତ୍ତେଶ୍ଵର ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି ବୋଲି ଦତ୍ତେଶ୍ଵର କହିଛନ୍ତି। ସେହିପରି ନବୀନ ଦେଇଥିବା ଗୁରୁଦାୟିତ୍ଵ ସମ୍ପାଦନ କରିବି ବୋଲି ସଂତୃପ୍ତ କହିଛନ୍ତି।
ସଂତୃପ୍ତ ମିଶ୍ର ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ସେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ। ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଥିଲେ। ସେହିପରି ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। ସେ ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ଥିଲେ। ୨୦୨୦ରେ ସେ ୟୁରୋଲୋଜି ଗୋଲ୍ଡ ମେଡାଲ ପାଇଥିଲେ। ରାଜ୍ୟରେ କିଡନୀ ଟ୍ରାନ୍ସପ୍ଲାଷ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି ତୃତୀୟ ଓ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେଇଛି। ବିଜେପିର ପ୍ରାର୍ଥୀ ଘୋଷଣା ବାକି ଅଛି। ସେପଟେ କଂଗ୍ରେସର କଳ୍ପନା ଜଳ୍ପନା ଚାଲିଛି। କମନ୍ କ୍ୟାଣ୍ଡିଡେଟ୍ ଭାବେ ଡା ଦତ୍ତେଶ୍ଵର ହୋତାଙ୍କୁ କଂଗ୍ରେସ ସମର୍ଥନ କରିପାରେ ବୋଲି ଅନୁମାନ କରାଯାଉଛି।
ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧୬ରେ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରାଜ୍ୟସଭା ଭୋଟ୍ ହେବ। ଅପରାହ୍ଣରେ ଭୋଟ୍ ଗଣତି କରାଯିବ। ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।














