ଭୁବନେଶ୍ୱର : ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଗୁରୁବାର ମହାନ ଜନନାୟକ ବିଜୁ ବାବୁଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ଫଟୋଚ୍ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ଏହି ଅବସରରେ କହିଛନ୍ତି , ବିଜୁ ବାବୁ ଥିଲେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ସୁବର୍ଣ୍ଣ ସେତୁ । ସେ କେବଳ ଆମ ଅତୀତ ଗୌରବକୁ ନେଇ ଗର୍ବ କରୁ ନ ଥିଲେ । ଆମର ଉତ୍ତର ପୀଢ଼ି ପାଇଁ ଏକ ସମୃଦ୍ଧ ଭବିଷ୍ୟତର ଯୋଜନା ମଧ୍ୟ କରିଥିଲେ । ବିଜୁ ବାବୁ କେବଳ ଜଣେ ରାଜନେତା ନ ଥିଲେ। ସେ ଥିଲେ ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ ଥିଲେ । ଓଡିଆ ସ୍ୱାଭିମାନ ଥିଲା ତାଙ୍କର ସବୁଠାରୁ ବଡ଼ ଶକ୍ତି ।
ଓଡ଼ିଶାର ବିକାଶଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ତଥା ପଞ୍ଚାୟତିରାଜ ବ୍ୟବସ୍ଥାକୁ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ। ଲୋକଙ୍କ ଶକ୍ତିକୁ ସମ୍ମାନ ଦେଉଥିବା ନେତା ହିଁ ପଂଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିପାରିବ । ପଂଚାୟତିରାଜ ବ୍ୟବସ୍ଥା ଦୁର୍ବଳ ହେଲେ ଲୋକଙ୍କ ଭରସା ମଧ୍ୟ ନଷ୍ଟ ହୋଇଥାଏ । ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ ପଂଚାୟତି ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଜନ ସଚେତନା ସୃଷ୍ଟି କରିବ । ତାହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସକାଳେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କକୁ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।














