ଭୁବନେଶ୍ବର: କାମ ଦେଉନି କି ସଚେତନତା ମନ୍ତ୍ର। ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନକୁ ମାତ୍ର ସପ୍ତାହେ ବିତିନି। ହେଲେ ନନଷ୍ଟପ୍ ରାସ୍ତା ଦୁର୍ଘଟଣାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ରଖିଥିବା ରୋଡ୍ ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି- ଗତ ୧୦ ବର୍ଷରେ ୧ ଲକ୍ଷ ୧୩ ହଜାର ୩୨୫ଟି ରାସ୍ତା ଦୁର୍ଘଟଣା ମାମଲା ରୁଜୁ ହୋଇଛି, ଯେଉଁଥିରେ ୫୩ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ସେମିତି ଦୈନିକ କେଉଁଠି ଛାତିଥରା ତ କେଉଁଠି ମର୍ମନ୍ତୁଦ। ଆଖି ପିଛୁଳାକେ ଲିଭି ଯାଉଛି ଜୀବନ ଦୀପ। ନନଷ୍ଟପ୍ ରୋଡ୍ ଆକ୍ସିଡେଣ୍ଟରେ ଲାଗୁନି ବ୍ରେକ୍।
ଗତ ୨୪ ଘଣ୍ଟାରେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅବେଳରେ ଯାଇଛି ୧୪ ଜଣଙ୍କ ପ୍ରାଣ। କେନ୍ଦୁଝର ସଦର ଥାନା ତେନ୍ତୁଳି ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଡାଇନୋମା ମିସ୍ତ୍ରୀ ଭାବେ ଦୋକାନ କରିଥିବା ଏମଡି ନୁର୍, ପତ୍ନୀ ଓ ୫ବର୍ଷର ପୁଅକୁ ବାଇକ୍ ରେ ବସାଇ ଘରକୁ ଯାଉଥିବାବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ ସହ ପଛ ପଟୁ ଧକ୍କା ହୋଇଥିଲେ। ନୁର୍ ଓ ୫ବର୍ଷିୟ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପତ୍ନୀ ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି।
ସେମିତି ବରଗଡ଼ ଜିଲ୍ଲା ମେହନା ଗାଁ ନିକଟରେ ଏକ ଲୋମଟାଙ୍କୁରା ଦୁର୍ଘଟଣାରେ ଗୋଟିଏ ପରିବାରର ଲିଭି ଯାଇଛି ୪ଜଣଙ୍କ ଜୀବନ ଦାପ। ଖଇରପାଲିରୁ ଏକ ବାହାଘର ଭୋଜି ଖାଇ ଆଗ ପଛ ହୋଇ ୨ଟି ବାଇକରେ ୬ଜଣ ସଦସ୍ୟ ବିନିକା ଥାନା ଜାମପାଲି ଗାଁକୁ ଫେରୁଥିବାବେଳେ ବାଟରେ ଛକିଥିଲା ଯମ। ଏକ ଦୃତଗାମୀ ବୋଲେରୋ ବାଇକ୍ ଦୁଇଟିକୁ ଧକ୍କା ଦେବାରୁ ସମସ୍ତେ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ତିନିଜଣ ବୟସ୍କଙ୍କ ସହ ଜଣେ ନାବାଳକ ନାତିର ଶୋଚନୀୟ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ନାବାଳକଙ୍କୁ ବୁର୍ଲା ମେଡିକାଲ ନିଆଯାଇଛି। ମୃତକମାନେ ସମସ୍ତେ ଜାମପାଲି ଗାଁର।
ସେହିପରି ଜଟଣୀ ଥାନା ନାଇଜର ଛକରେ ଆଜି ଅପରାହ୍ନରେ ଏକ ଅଟୋକୁ ଦ୍ରୁତଗାମୀ କାର୍ ପିଟିବାରୁ ଜଣଙ୍କର ପ୍ରାଣ ଯାଇଛି। ୩ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବଣାଇରେ ୨ ଓ ବଲାଙ୍ଗିରରେ ବି ଜଣଙ୍କର ରୋଡ୍ ଆକ୍ସିଡେଣ୍ଟରେ ଯାଇଛି ଜୀବନ।
ଗୋଟିଏ ପଟେ ରାଜ୍ୟରେ ନନଷ୍ଟପ୍ ରାସ୍ତା ଦୁର୍ଘଟଣାରେ ବ୍ରେକ୍ ଲାଗୁନଥିବାବେଳେ ଏଣେ ସଡ଼କ ଦୁର୍ଘଟଣା ସଂପର୍କିତ ସରକାରଙ୍କ ତଥ୍ୟ ବି ବଢ଼ାଇଛି ଚିନ୍ତା। ଗତ ୧୦ ବର୍ଷରେ ୧ ଲକ୍ଷ ୧୩ ହଜାର ୩୨୫ଟି ସଡ଼କ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରଖିଛନ୍ତି ଲିଖିତ ଉତ୍ତର। ଯାହା ଭିତରୁ ଗତ ୪ବର୍ଷର ତଥ୍ୟ ଚମକାଇଲା ଭଳି।
ଗତବର୍ଷ ସର୍ବାଧିକ ୧୨ ହଜାର ୩୭୫ଟି ମାମଲା ରୁଜୁ ହୋଇଥିବା ବେଳେ ୬ହଜାର ୪୩୮ ଜଣଙ୍କ ଜୀବନ ଯାଇଛି। ସେମିତି ଗତ ୧୦ ବର୍ଷରେ ମୋଟ୍ ୫୩ ହଜାର ୪୫୧ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୫୫ ହଜାର ୭୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଉ ଦିନକୁ ମରୁଛନ୍ତି ୧୭। ତାହାଲେ ଏଠି ପ୍ରଶ୍ନ-ଏତେ ସଚେତନତା ସତ୍ତ୍ବେ କାହିଁକି ବଢ଼ି ବଢ଼ି ଚାଲିଛି ରାସ୍ତା ଦୁର୍ଘଟଣା।














