ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଟକ ଏବଂ ସୁନ୍ଦରଗଡ଼ରେ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବ ଗୁରୁବାର ଆୟୋଜିତ ହୋଇଛି। କଟକରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ନବଦମ୍ପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଛନ୍ତି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ଦୃଢ଼ ସାମାଜିକ ପଦକ୍ଷେପ। ଏହି ଯୋଜନା ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଥିବା ଯୁବତୀମାନଙ୍କ ପାଇଁ ମର୍ଯ୍ୟଦା, ସୁରକ୍ଷା ଏବଂ ସାମାଜିକ ସ୍ୱୀକୃତି ସୁନିଶ୍ଚିତ କରେ।ଏହି ଯୋଜନା ବିଧବା ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଏ l
କଟକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ପ୍ରଦାୟର ୫୫ ଜଣ ଦମ୍ପତି ଜନପ୍ରତିନିଧିଙ୍କ ସହ ଏହି ମାଙ୍ଗଳିକ କାର୍ଯ୍ୟରେ କଟକ ସଦରର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସୱାଲ, ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ସିଏମ୍ସି କମିଶନର କିରନଦୀପ କୌର ସହୋତା ଉପସ୍ଥିତ ଥିଲେ । ଉପ-ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ନବଦମ୍ପତିଙ୍କ ସହ ଆଲୋଚନା କରି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ପାରସ୍ପରିକ ସମ୍ମାନ, ବୁଝାମଣା ଏବଂ ସମାନତା ଭିତ୍ତିରେ ପରିବାର ଗଠନ କରିବାକୁ ପରାମର୍ଶ ଦେଇଛନ୍ତି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଶଙ୍କର ସ୍ଥିତ କଲ୍ୟାଣ ମଣ୍ଡପଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଏକ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ର ଏହି କାର୍ଯ୍ୟକ୍ରମରେ ୬୧ ଜଣ ଦମ୍ପତି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଡକ୍ଟର ଶୁଭଙ୍କର ମହାପାତ୍ର ,ଜିଲ୍ଲାପାଳ, ସୁନ୍ଦରଗଡ଼, ତନୟା ମିଶ୍ର, ଅଧ୍ୟକ୍ଷା, ସୁନ୍ଦରଗଡ଼ ପୌରପାଳିକା, ତେଜସ୍ୱିନୀ ବେହେରା, ଉପ-ଜିଲ୍ଲାପାଳ, ସୂରଜ କୁମାର ପଟ୍ଟନାୟକ ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ), ଅଭିମନ୍ୟୁ ମାଝୀ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ କନ୍ୟାମାନଙ୍କ ବିବାହ ନିମନ୍ତେ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିମଧ୍ୟରୁ ୪୫,୦୦୦ ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି। ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ଉତ୍ସବର ଆୟୋଜନ ଏବଂ ପରିଚାଳନା ପାଇଁ ବ୍ୟୟ କରାଯାଉଛି । ଯାହାକି ଏଥି ପାଇଁ ଚୟନ ହୋଇଥିବା କାର୍ଯ୍ୟକାରୀ ସଂସ୍ଥାଙ୍କ ସହଯୋଗରେ ହୋଇଥାଏ।














