ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା। କ୍ରସ୍ ଭୋଟିଂ ପାଇଁ ଦଳକୁ ନିଲମ୍ବିତ ହେଲେ ତିନି ବିଧାୟକ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବାରବାଟୀ-କଟକ ବିଧାୟିକ ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୩ ବିଧାୟକ ଦଳୀୟ ହ୍ବିପ ଲକ୍ଷ୍ମଣରେଖା ଡେଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହା ପରେ ଆଜି ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କ୍ରସ୍ ଭୋଟିଂ ପ୍ରସଙ୍ଗରେ ନିଲମ୍ଵିତ ବିଧାୟକଙ୍କ ଉପରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଏହି ବିଧାୟକ, ବିଧାୟିକାଙ୍କ ଭଲ ଭବିଷ୍ୟତ ଥିଲା। ସେମାନେ ନିଜ ରାଜନୈତିକ କ୍ୟାରିଅର ନଷ୍ଟ କରିଦେଲେ। ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯିବ। ବ୍ୟକ୍ତିଗତ ଭାବେ ସୋଫିଆଙ୍କ ସହ କଥା ହୋଇଥିଲି। ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦେବାକୁ ଆଶ୍ଵାସନା ଦେଇଥିଲି। ତାଙ୍କ ବାପାଙ୍କୁ କଂଗ୍ରେସ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲି। ସେ କିନ୍ତୁ ନିଜର ରଙ୍ଗ ଦେଖେଇ ଦେଲେ। ଆଉ ଜଣଙ୍କୁ ଗଞ୍ଜାମର ଟାଇଗର କୁହାଯାଉଥିଲା। ଟାଇଗର୍ ଘାସ ଖାଏନି ବୋଲି ଶୁଣିଥିଲି। କିନ୍ତୁ କାଲି ଆମେ ଦେଖିଲୁ ଟାଇଗର୍ ଘାସ ଖାଇଲା। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ଆଣ୍ଟି ଡିଫେକ୍ସନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଏବଂ ଗୃହରେ ସିଟ୍ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, କଂଗ୍ରେସ ୩ ବିଧାୟକ ଦଳୀୟ ହ୍ବପ୍ ଉଲ୍ଲଘଂନ କରିବା ସହତ ଦଳ ବିଚାରଧାରା ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସଂଗେ ସଂଗେ କଂଗ୍ରେସ ଦଳର ସ୍ବାର୍ଥକୁ ଜଳାଞ୍ଜଳି ଦେଇଥିବାରୁ ୩ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜିତ୍ ପାଢ଼ୀ ସୂଚନା ଦେଇଛନ୍ତି। ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ନଗର ସଭାନେତ୍ରୀ ଗିରିବାଳା ବେହେରା ଦଳରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି କଂଗ୍ରେସ । ସେ କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେଉନଥିଲେ । ଏହା ସବୁବେଳେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏନେଇ ଅଭିଯୋଗ ଆସିବା ପରେ କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି ।














