ଭୁବନେଶ୍ୱର : ଏମିତି କେଉଁ ବ୍ୟବସ୍ଥାରେ ବିଭ୍ରାଟ୍ ଘଟିଲା ଯେ, ଏସସିବି ଟ୍ରମା ଆଇସିୟୁରେ ଘଟିଗଲା ଅଗ୍ନିକାଣ୍ଡ ? କିଭଳି ଏବଂ କାହାର ଦାୟିତ୍ବହୀନତା ପାଇଁ ବାର ବାର ଜଣଙ୍କ ଜୀବନ ଚାଲିଗଲା ମେଡ଼ିକାଲରେ ? ଚାଲିଛି କାରଣ ଖୋଜା। ୩ଦିନ ହେଲା, ଗ୍ରାଉଣ୍ଡ ଜିରୋରେ ଘଣ୍ଟା ଚକଟା କରୁଛି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଇତିମଧ୍ୟରେ କାର୍ଯ୍ୟରେ ଅବହେଳା ଯୋଗୁ ସିଏମଙ୍କ ନିର୍ଦ୍ଦେଶରେ ଚାରି ଅଫିସରଙ୍କୁ ନିଲମ୍ବନ କରାଯାଇଛି। ଆଉ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଗଠିତ ଟିମ୍ ଆଜି ବି ଘଟଣାସ୍ଥଳରେ ତଥ୍ୟ ସଂଗ୍ରହ କରିଛନ୍ତି। ଇଲେକ୍ଟ୍ରିକାଲ ଇଆଇସି, ଜନସ୍ବାସ୍ଥ୍ୟ ବିଭାଗ ଇଆଇସି, ଅଗ୍ନିଶମ ବିଭାଗ ଆଇଜି, ପୂର୍ତ୍ତ ବିଭାଗ ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଫିସରଙ୍କୁ ଧରି ଅନୁସନ୍ଧାନ କରିଛନ୍ତି ଉନ୍ନୟନ କମିଶନର। ତେଣୁ ପରିଚାଳନାଗତ ବିଭ୍ରାଟ ପାଇଁ ନିଲମ୍ବିତ ୪ ଅଧିକାରୀ ହିଁ ଦାୟୀ ନା ଏହାପଛରେ ଆଉ କିଏ ? ଆଗକୁ ଆଉ କାହାର ମୁଣ୍ଡ ଗଡ଼ିବ ? ସେନେଇ ନାନା ଚର୍ଚ୍ଚା ଭିତରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଆଡ଼କୁ ବି ଅଙ୍ଗୁଳି ଉଠିଛି।
ଏଣେ ଏସସିବି ନିଆଁକୁ ନେଇ ପଲିଟିକାଲ୍ ମୈଦାନରେ ଥମୁନି ଘମାସାନ, ଜାରି ରହିଛି ସରକାର ବିରୋଧୀ ବୟାନବାଜି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହକୁ ଅଚଳ କଲେ ବିରୋଧୀ। ତିନି ଦିନ ହେଲାଣି ପ୍ରଶ୍ନକାଳରେ ଆଲୋଚନା ବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଚାଲିପାରୁନି ଗୃହ। ଏହାରି ଭିତରେ ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୁରୁମା ପାଢ଼ୀ। ହେଲେ ବାଚସ୍ପତିଙ୍କ ସମସ୍ତ ଆଲୋଚନା ବିଫଳ ହୋଇଛି। ସର୍ବଦଳୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତାଫା ଦାବି ଜିଦରେ ଅଟଳ ହୋଇଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ଫଳରେ ବୈଠକରେ କୌଣସି ନିଷ୍କର୍ସ ବାହାରିାପରିନାହିଁ। ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଏସସିବିକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆଇସିୟୁ ଭଳି ଗୁରୁତ୍ବପୂର୍ଣ୍ଣ ଜାଗାରେ ଇମର୍ଜେନସୀ ଏଗଜିଟ୍ ବ୍ୟବସ୍ଥା ନଥିବା ଅଭିଯୋଗ ଆଣିବା ସହ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏଣେ ଆଜିକୁ ୩ଦିନ ହେଲା ବିଧାନସଭାରେ ଅସ୍ଥିରତା। ଏସସିବି ଅଗ୍ନିକାଣ୍ଡରେ ତଳତଳିଆ ନୁହେଁ ବରଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଭୟ ବିଜେଡି ଏବଂ କଂଗ୍ରେସ ଗୃହରେ ହଟ୍ଟଗୋଳ କରିବାରୁ ଆଜି ବି ଅଚଳ ହୋଇଛି ଗୃହ। ବିଜେଡି କହିଛି, ଆମ ସରକାରବେଳେ ଏକ ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡରେ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ, ମାଲିକ ବି ଗିରଫ ହୋଇଥିଲେ। ତେଣୁ ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ନୀତି ଓ ନୈତିକତା ଦୃଷ୍ଟିରୁ ପଦ ଛାଡ଼ନ୍ତୁ ଏବଂ ମେଡ଼ିକାଲ୍ ଅଧ୍ୟକ୍ଷ ବି ଗିରଫ ହୁଅନ୍ତୁ। ନଚେତ ଗୃହରେ ପ୍ରତିବାଦ ଜାରି ରହିବ। ଜବାବରେ ବିଜେପି କହିଛି, ନିଜ ବିଫଳତାକୁ ଲୁଚାଇବାକୁ ଯାଇ ମିଛ ଡ୍ରାମା କରୁଛନ୍ତି ବିରୋଧୀ। ବିଜୁ-ନବୀନ ଫାଉଣ୍ଡେସନ କଥାକୁ ଲୁଚାଇବା ପାଇଁ ବିଜେଡି ମିଛ ସୁଆଙ୍ଗ କରୁଛି। ଆଜି SCB ନିଆଁ ସହ ମେଡ଼ିକାଲରେ ରୋଗୀ ସୁରକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଥିଲା, ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଥାନ୍ତେ। କିନ୍ତୁ ବିଜେଡ଼ି ଓ କଂଗ୍ରେସ ଗୃହ ଚଳାଇବା ମାନସିକତାରେ ନାହାଁନ୍ତି। ତେଣେ ରାଜ୍ୟର ସବୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ବୈଦ୍ୟୁତିକ ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଜାରି କରିଛି ପୂର୍ତ୍ତ ବିଭାଗ। କୌଣସି ତ୍ରୁଟି ଥିଲେ ତୁରନ୍ତ ସଜାଡ଼ିବାକୁ ପୂର୍ତ୍ତ ବିଭାଗ, କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି।














