ଭୁବନେଶ୍ବର: ଏପ୍ରିଲ୍ ୪ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ବୈଠକରେ ଭୁବନେଶ୍ବର ମେଟ୍ରୋ ରେଳପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଲୋକଙ୍କ ଆକାଂକ୍ଷା ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିକୁ ରଖି ଏହି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ବର ସାଂସଦ ଭାବେ ଶ୍ରୀମତୀ ଷଡ଼ଙ୍ଗୀ ଚିଠିରେ ଏହି ପ୍ରକଳ୍ପ କେବଳ ଲୋକଙ୍କ ସ୍ବାର୍ଥକୁ ସାଧନ କରିବ ନାହିଁ ବରଂ ବିକଶିତ ଓଡ଼ିଶାନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ବି ପୂରଣ କରିପାରିବ।
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ କରିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବ। ରାଜ୍ୟ ରାଜଧାନୀ ଭୁବନେଶ୍ବର ଏକ ବୃହତ୍ତର ନଗର ହୋଇଥିବା ବେଳେ ଜନସଂଖ୍ୟା ବି ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଭୁବନେଶ୍ବର ସହରରେ ସର୍ବଦା ଟ୍ରାଫିକ୍ ସମସ୍ୟା ଲାଗିରହିବା ସହ ବର୍ତ୍ତମାନର ପରିବହନ ବ୍ୟବସ୍ଥା ଉପରେ ଯଥେଷ୍ଟ ଚାପ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଏକ ଉଚ୍ଚ ଶକ୍ତିସଂପନ୍ନ ଓ ସୁଲଭ ମୂଲ୍ୟରେ ଆଧୁନିକ ପରିବହନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ମେଟ୍ରୋ ଦ୍ବାରା ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ମହିଳା, ଛାତ୍ରଛାତ୍ରୀ, ବ୍ୟବସାୟୀ ଲାଭବାନ୍ ହୋଇପାରିବେ। ଭୁବନେଶ୍ବର- କଟକ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୨୦୨୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅନୁରୋଧ କରିଥିଲେ। ୨୦୨୪ ନଭେମ୍ବର ୩୦ ତାରିଖ ଦିନ ସେ ନିଜେ ଏହାର ସମୀକ୍ଷା କରିଥିଲେ। ଏଭଳି ସ୍ଥିତିରେ ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିବା ଠିକ୍ ହେବ ନାହିଁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।














