ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ କରିବାରେ ବିଫଳ ହେଲା ଏନ୍ଡିଏ
ନୂଆଦିଲ୍ଲୀ : ଲୋକସଭାରେ ଫେଲ ମାରିଲା ମହିଳା ସଂରକ୍ଷଣ ବିଲ୍। ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଥିବା ୧୩୧ତମ ସଂଶୋଧନ ବିଲ୍ ପାସ୍ ହୋଇପାରି ନାହିଁ। ଆଜି (ଶୁକ୍ରବାର) ସନ୍ଧ୍ୟାରେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ସହିତ ଜଡିତ ତିନୋଟି ବିଲ୍ ଉପରେ ଭୋଟ୍ ଆରମ୍ଭ ହୋଇଥିଲା। ତେବେ ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ୍ ପଡ଼ିଥିବା ବେଳେ, ବିପକ୍ଷରେ ୨୩୦ ଭୋଟ ପଡିଥିଲା । ଏ ସଂକ୍ରାନ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି କି ମୋଟ ୫୨୮ ଭୋଟ୍ ପଡ଼ିଥିଲା, ଯାହା ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୪୮୯ ଭୋଟ୍ ପଡ଼ିଥିଲା, ଯାହା ସପକ୍ଷରେ ୨୭୮ ଏବଂ ବିପକ୍ଷରେ ୨୧୧ ଭୋଟ୍ ଥିଲା। ବିଲ୍ ପାସ୍ ହେବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଅର୍ଥାତ୍ ୩୫୨ ଭୋଟ୍ ଆବଶ୍ୟକ ଥିଲା, ଯାହା କି ୫୪ ଭୋଟ୍ କମ୍ ଥିଲା। ସୀମା ନିର୍ଦ୍ଧାରଣ ପାଇଁ ଏକ ନୂତନ ଜନଗଣନାର ଆବଶ୍ୟକତାକୁ ଏଡ଼ାଇବା ପାଇଁ ଏହି ବିଲ୍ ଲକ୍ଷ୍ୟ ରଖିଥିବା ବେଳେ ଏହା ଭଣ୍ଡୁର ହୋଇଥିବାରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଲୋକସଭାରୁ ଏହି ବିଲ୍ ପ୍ରତ୍ୟାହାର କରିବା ପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଛି। ପୂର୍ବରୁ, ମହିଳା ସଂରକ୍ଷଣ ବିଲ୍ ଉପରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଲୋକସଭାରେ ଏକ ଜୋରଦାର ବିତର୍କ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦଳକୁ ବିଲ୍ ସମର୍ଥନ କରିବାକୁ ଅନୁରୋଧ କରିଥିବା ବେଳେ, ବିରୋଧୀ ଦଳ ଗମ୍ଭୀର ଆପତ୍ତି ଉଠାଇଥିଲେ।
ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ଉପରେ ବିଚାର କରିବା ପାଇଁ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଚାଲିଥିବା ବେଳେ ମୁଖ୍ୟ ବିଲ୍ କାଟ୍ ଖାଇଥିବା ନେଇ ରାଜନୀତି ସରଗରମ ହୋଇଛି। ପ୍ରସ୍ତାବିତ ସଂଶୋଧନଗୁଡିକ ଦ୍ବାରା ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସଂରକ୍ଷଣ ଢାଞ୍ଚାକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭାର ସଂଖ୍ୟାକୁ ୫୪୩ରୁ ୮୫୦ ଆସନକୁ ବୃଦ୍ଧି କରିବାକୁ ସରକାର ପ୍ରୟାସ କରିଥିଲେ। ଏହି ଯୋଜନାର ଏକ ଅଂଶ ଭାବରେ, ୨୦୧୧ ଜନଗଣନାକୁ ଆଧାର କରି ସୀମା ନିର୍ଦ୍ଧାରଣ କରାଯିବାକୁ ସରକାର ବିଲ୍ ଆଣିଥିଲେ ଏବଂ ବିରୋଧୀ ଦଳମାନେ ଏହାକୁ ଜୋର୍ଦାର ବିରୋଧ କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ଲୋକସଭା ଭାଷଣରେ କହିଥିଲେ ଯେ, ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଆମେ ଆଉ ଦଶନ୍ଧି ଅପେକ୍ଷା କରିପାରିବା ନାହିଁ। ଜନଗଣନା ଏକ ସମୟସାପେକ୍ଷ ପ୍ରକ୍ରିୟା, ତେଣୁ ଏହାକୁ ବାଇପାସ୍ କରି ସୀମା ନିର୍ଦ୍ଧାରଣ କରିବା ଜରୁରୀ। ସେ ଅଭିଯୋଗ କରିଥିଲେ ଯେ ବିରୋଧୀ ଦଳଗୁଡ଼ିକ କେବଳ ବୈଷୟିକ କାରଣ ଦର୍ଶାଇ ନାରୀ ଶକ୍ତିର ବିକାଶକୁ ରୋକୁଛନ୍ତି। ଲୋକସଭାରେ ବିଲ୍ ଉପରେ ଭୋଟ୍ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ସାଂସଦମାନଙ୍କୁ ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ‘ମାତୃ ଶକ୍ତି’ ସପକ୍ଷରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଏହି ବିଲ୍ ଦେଶର ଭବିଷ୍ୟତ ବଦଳାଇ ଦେବ, ତେଣୁ ଏହାକୁ ସମର୍ଥନ କରିବା ଆବଶ୍ୟକ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ହାସଲରେ ବିଫଳ ହୋଇଛି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସରକାରଙ୍କ ପ୍ରସ୍ତାବକୁ କଡ଼ା ବିରୋଧ କରିଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଲ୍କୁ “ପ୍ରତାରଣା” ବୋଲି କହିଥିଲେ ଏବଂ କହିଥିଲେ, “ଏହି ବିଲ୍ ଏଠାରେ ପଡ଼ିବ।” ସେ ଦାବି କରିଥିଲେ ଯେ ଏହା ପ୍ରକୃତରେ ମହିଳାଙ୍କ ସ୍ୱାର୍ଥରେ ଆଗତ ଏକ ବିଲ୍ ନୁହେଁ। ରାହୁଲ ଦୃଢ଼ ବିରୋଧ କରିଥିଲେ । ତାଙ୍କ ଭାଷଣରେ, ରାହୁଲ ଗାନ୍ଧୀ କହିଥିଲେ ଯେ ୨୦୨୩ ରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ସମୟରେ ଶାସକ ଦଳର ସହଯୋଗୀ ମାନେ ସୂଚାଇ ଦେଇ














