‘ସୋସିଆଲ୍ ମିଡିଆରୁ ବର୍ତ୍ତି ଯୁବଗୋଷ୍ଠୀ ବିବେକବାନ ହୁଅନ୍ତୁ’
ଭୁବନେଶ୍ଵର: ବଜାର ଆଜି ସମସ୍ତଙ୍କୁ କରାୟତ କରିଛି। ଯୁବଗୋଷ୍ଠୀ ଆଜି ସେଲିବ୍ରିଟି ହେବା ପାଇଁ ଚାହୁଁଛନ୍ତି। ଇଟ୍ସ ମାଇ ଲାଇଫ୍ ଓ ମାଇ ଚଏସ୍ ବୋଲି ନାରା ଦେଇ ନିଜ ମନ ଚାହୁଁଥିବା କଥା ସାମାଜିକ ଗଣମାଧ୍ୟମର ପ୍ରଭାବରେ କରିବାକୁ ଚାହୁଁଛନ୍ତି ସେମାନେ। ନିଜ ସ୍ଵାଧୀନତା ବୋଲି ଯାହାକୁ ଯୁବଗୋଷ୍ଠୀ କହୁଛନ୍ତି ତାହା ଏବେ ସ୍ଵେଚ୍ଛାଚାରିତା ଆଡ଼କୁ ଗତିକରି ଯାଉଛି ବୋଲି ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର 2026 ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ତଥା ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀକ ହିନ୍ଦି ବିଶ୍ଵବିଦ୍ୟାଳୟ ୱାର୍ଦ୍ଧାର କୁଳପତି ପ୍ରଫେସର କୁମୁଦ ଶର୍ମା ତାଙ୍କ ଭାଷଣରେ କହିଥିଲେ। ସମସ୍ତେ ଆଜି ଗ୍ଲୋବାଲ ବ୍ୟକ୍ତି ହେବା ପାଇଁ ଚାହୁଁଥିଲା ବେଳେ ସୋସାଆଲ୍ ମିଡିଆରେ ସେଇଥିପାଇଁ ଯୁବଗୋଷ୍ଠୀ ସକ୍ରିୟ ହୋଇଯାଇଛନ୍ତି। ସେ କହିଥିଲେ ନିଜ ସ୍ଵାଧୀନତା ନାମରେ ସ୍ଵେଚ୍ଛାଚାରୀ ହୋଇଯିବା ମାନସିକତାରେ ପଡୁଥିବା ଯୁବଗୋଷ୍ଠୀ ବିବେକବାନ ହେବା ଦରକାର। ସେ ସତର୍କ କରି କହିଥିଲେ ଆଜି ଭାରତର ଯୁବଗୋଷ୍ଠୀଙ୍କ ସକାଶେ ସବୁଠାରୁ ବଡ଼ ଚାଲେଞ୍ଜ ହେଉଛି ସୋସିଆଲ୍ ମିଡିଆର ଫାସରୁ ନିଜକୁ ମୁକ୍ତ ରଖିବା।
ସିଗାରେଟ ଓ ମଦ ଠାରୁ ଅଧିକ ନିଶାବାନ ସୋସିଆଲ୍ ମିଡିଆ ବୋଲି କହିଥିଲେ ପ୍ରଫେସର ଶର୍ମା। ସେ ପ୍ରକାଶ କରିଥିଲେ ଯେ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରମାନେ ଏକ ବିଶ୍ଵ ଭାଷା, ଏକ ବିଶ୍ଵ ସଂସ୍କୃତି ଓ ବିଶ୍ଵ ମାନବତା ତିଆରି କରିବା ପାଇଁ ଚାହୁଁଛନ୍ତି ନିଜ ପ୍ରଭୁତ୍ଵ ବିସ୍ତାର କରିବା ସକାଶେ। ହେଲେ ଭାରତ ଏହାକୁ ଗ୍ରହଣ କରିପାରିବ ନାହିଁ। କାରଣ ଆମର ପ୍ରତ୍ୟେକ ରାଜ୍ୟର ନିଜର ଭାଷା ରହିଛି, ସଂସ୍କୃତି ରହିଛି ଓ ଚଳଣୀ ରହିଛି। ତେଣୁ ଆମ ନିଜସ୍ଵ ଶକ୍ତି ଉପସ୍ଥାପିତ କରି ଆମର ସ୍ଵତନ୍ତ୍ର ପରିଚୟ ଆମେ ସୃଷ୍ଟି କରିବା। ସେ କହିଥିଲେ ବର୍ତ୍ତମାନ ଯୁବଗୋଷ୍ଠୀ ବଡ଼ ଦ୍ଵନ୍ଦ୍ଵରେ ଅଛନ୍ତି। କ’ଣ ତାଙ୍କ ପାଇଁ ସଠିକ୍, କ’ଣ ତାଙ୍କ ପାଇଁ ଭୁଲ୍ ଜାଣିପାରୁନାହାନ୍ତି। ବିଶ୍ଵ ବଜାରର ମାୟାରେ ଆଜି ଗାଁର ଯୁବକ ଭାଲେଣ୍ଟାଇନ୍ ଡେ’ ମନାଇବାକୁ ବ୍ୟଗ୍ର ହୋଇପଡୁଥିଲା ବେଳେ ନିଜ ଅଞ୍ଚଳର ସମସ୍ୟା ଓ ଆହ୍ୱାନଠାରୁ ଦୂରେଇ ଯିବାକୁ ବସିଛନ୍ତି। ପରିବାରର ମୁଖ୍ୟମାନଙ୍କୁ ସମୟ ଆସିଛି ଯୁବ ସମାଜକୁ ଏକ ଆଦର୍ଶ ଓ ସଠିକ୍ ମାର୍ଗ ଦେଖାଇବାର। ଦୈନିକ ‘ନିର୍ଭୟ’ ପକ୍ଷରୁ ଯୁବ ପୁରସ୍କାର ପ୍ରଦାନର ଧାରା ଆରମ୍ଭ କରାଯାଇଥିବାରୁ ଏହାକୁ ପ୍ରଶଂସା କରି ପ୍ରତିବର୍ଷର ବିଜେତା ମାନେ ସମାଜରେ ଏକ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ।
ସ୍ଥାନୀୟ ହୋଟେଲ ମେ’ ଫେୟାର କନଭେନସନ ହଲ୍ଠାରେ ସୋମବାର ଆୟୋଜିତ ହୋଇଥିବା ‘ନିର୍ଭୟ’ ମନୀଷ ସ୍ମାରକୀ ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ୱିଙ୍ଗ କମାଣ୍ଡର ଦେବୀଦତ୍ତ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଯୁବ ସମାଜ ଏକାଧିକ ଚାଲେଞ୍ଜର ସାମ୍ନା କରୁଛି ବୋଲି କହିଥିଲେ। ପାଠପଢ଼ିବାଠାରୁ ନେଇ ଖେଳିବା ଓ ନିଜ ଭବିଷ୍ୟତ ପେଶାଗତ ଧାରା ବାଛିବା ପର୍ଯ୍ୟନ୍ତ ଆମର ସମାଜ ଅସମାନତା ଧାରାରେ ଅଗ୍ରସର ହେଉଛି ବୋଲି କହିଥିଲେ। ପିଲାଏ ଆଜି ଖୋଲା ଖେଳପଡ଼ିଆର ଅଭାବରୁ ଘରେ ବସି ମୋବାଇଲ୍ରେ ଗେମ୍ ଖେଳୁଛନ୍ତି। ଶାରୀରିକ ଫିଟ୍ନେସ ଉପରେ ଏହାର ବଡ଼ ଖରାପ ପ୍ରଭାବ ପଡୁଛି। ସେ କହିଥିଲେ ଆମେ ପଢ଼ିଲା ବେଳେ ସ୍କୁଲ୍ ଯିବା ଆସିବା ସମୟର ଯେଉଁ ସ୍ଵାଧୀନତା ଏବଂ ବନ୍ଧୁମାନଙ୍କ ସହ ପିକନିକ୍ କରି ଯିବାର ସ୍ଵାଧୀନତା ମିଳୁଥିଲା ଯାହା ଆମ ବିକାଶରେ ସହାୟକ ହୋଇଥିଲା। ହେଲେ ବର୍ତ୍ତମାନ ପିଲାମାନେ ମା’ ବାପାଙ୍କ ନିୟନ୍ତ୍ରଣ ଭିତରେ ଏତେ ରହୁଛନ୍ତି ଯେ ସ୍ଵାଧୀନ ଭାବେ ମାନସିକ ବିକାଶ ହୋଇପାରୁନାହିଁ। ଜାଣିବା, ଖୋଜିବାର ଇଚ୍ଛା ମରିମରି ଯାଉଛି ଓ ଦୁଃସାହସିକ ଅଭିଯାନ ପ୍ରତି ମଧ୍ୟ ପିଲାଙ୍କର କମୁଛି ଆଗ୍ରହ। ଯଦି ପାହାଡ଼ ଚଢ଼ି ଅଞ୍ଚଳକୁ ଦେଖିବାର ଇଚ୍ଛା ଆକାଶ ଲଙ୍ଘି ମହାକାଶ ବିଷୟ ଜାଣିବାକୁ ଆଗ୍ରହ ଏବଂ ସମୁଦ୍ର ତଳେ କ’ଣ ଅଛି ତାହା ପ୍ରତ୍ୟକ୍ଷ କରିବାକୁ ଯଦି ଆଗ୍ରହ ଜାତ ନହେବ ତା’ହେଲେ ନୂଆ କିଛି ଆରମ୍ଭ କରାଯାଇପାରିବ ନାହିଁ। ବାହାର ଖାଇବାର ଅଦମ୍ୟ ଇଚ୍ଛା ପିଲାମାନଙ୍କୁ ରୋଗା କରିପକାଉଛି। ସେ ଆହ୍ୱାନ ଦେଇ କହିଥିଲେ ଏଆଇର ବ୍ୟବହାର କରି ତଥ୍ୟ ସଂଗ୍ରହ କରିବା ଅପେକ୍ଷା ନିଜେ ପଢ଼ି, ଖୋଜି ତଥ୍ୟ ଖୋଜିଲେ ତାହା ଅଧିକ ବିକଶିତ କରିବ।
‘ନିର୍ଭୟ’ ମନୀଷ ସ୍ମାରକୀ ଦ୍ଵିତୀୟ ଯୁବ ପୁରସ୍କାର ଜୟପୁରର ଦଶମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ଯିଏ ଦେଶୀଆ ବିହନର ପ୍ରସାର ଦିଗରେ ଗତ ତିନିବର୍ଷ ହେଲା କାର୍ଯ୍ୟ କରି କୋରାପୁଟ ଜିଲାରେ ଏକ ବଡ଼ ବିପ୍ଲବ ଆଣି ଦେଇପାରିଛନ୍ତି। ଆଦିବାସୀ ମହିଳା ଓ ଛାତ୍ରଛାତ୍ରୀଙ୍କୁ ତାଙ୍କ ଦ୍ଵାରା ସ୍ଥାପିତ ପ୍ରୋଜେକ୍ଟ ହର୍ଷିତା ଚାଷ ପାଇଁ ସଚେତନତା ସୃଷ୍ଟି କରୁଛି। ବିଶେଷ ଟ୍ରଫି, ଉତ୍ତରୀୟ, ଅଭିନନ୍ଦନ ପତ୍ର ସହ ନଗଦ 25 ହଜାର ଟଙ୍କା ହର୍ଷିତାଙ୍କୁ ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ‘ନିର୍ଭୟ’ ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ଵରେ ତଥା ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ରଙ୍କ ସଂଚାଳନରେ ଅନୁଷ୍ଠିତ ଏହି ସମାରୋହରେ ସାନ୍ତାଳୀ ଭାଷାବିତ୍ ଫାଗୁ ବାସ୍କେ ସମ୍ମାନିତ ଅତିଥି ଭାବରେ ମଧ୍ୟ ସାମିଲ ହୋଇଥିଲେ। ପ୍ରଥମ ଅଧିବେଶନରେ ଏଆଇ, ପରମ୍ପରା ଓ ଓଡ଼ିଶାର ଯୁବଗୋଷ୍ଠୀ ଶୀର୍ଷକରେ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କଥାଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ଦେବପ୍ରସାଦ ଦାଶ, ପ୍ରଫେସର ଆଦ୍ୟାଶା ଦାସ ଏବଂ ପରିବେଶବିତ୍ ସୌମ୍ୟରଞ୍ଜନ ବିଶ୍ଵାଳ ଅଂଶଗ୍ରହଣ କରି ନିଜ ନିଜ ଭାବନା ବ୍ୟକ୍ତ କରିଥିଲେ।














