ରାଉରକେଲା: ଓଡ଼ିଶା ଆଜି ବିକାଶର କଥା ଲେଖୁଛି। ଆମ ସରକାର ହେଉଛି ଲୋକଙ୍କ ସରକାର। ଆପଣଙ୍କର ସରକାର ଓ କଥା ଦେଇ କଥା ରଖିବା ସରକାର। ଆଉ ବିକାଶ ହୁଏ କୃଷକଙ୍କ ସମୃଦ୍ଧିରେ, ମହିଳା ସଶକ୍ତୀକରଣରେ, ଯୁବ ବର୍ଗଙ୍କ ନିଯୁକ୍ତିରେ ଓ ଅନ୍ତୋଦୟର ଉତ୍ଥାନରେ। ଆମ ସରକାର ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା, ଶିଳ୍ପାୟନ ଓ ଗରିବ କଲ୍ୟାଣକାରି ଯୋଜନା ଗୁଡିକ ଦ୍ବାରା ରାଜ୍ୟରେ ବିକାଶକୁ ତ୍ବରାନ୍ବିତ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଉରକେଲାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଉରକେଲା ଗସ୍ତ ଅବସରରେ ଆୟୋଜିତ ‘ଆଦି ପରବ-୨୦୨୬’ ତଥା ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା-୨୦୨୫ ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ, ସଂକଳ୍ପ ଓ ନିର୍ଦ୍ଦେଶରେ ଶିଳ୍ପାୟନ କାର୍ଯ୍ୟକ୍ରମ ଜାରିରଖିଛୁ। ସୌଭାଗ୍ୟର କଥା ଓଡ଼ିଶାରେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି। ଗତ ଜାନୁଆରି ମାସରେ ରାଉରକେଲାରେ ଅନୁଷ୍ଠିତ ଏଣ୍ଟରପ୍ରାଇଜ୍ ଓଡିଶା-୨୦୨୬ ଅବସରରେ ପ୍ରାୟ ୨୦ଟି ଏମ୍.ଓ.ୟୁ, ୫ଟି ଇନଭେଷ୍ଟମେଣ୍ଟ ପ୍ରପୋଜାଲ୍, ୫୨,୦୨୬ କୋଟି ଟଙ୍କାର ନିବେଶ ସହିତ ୨୦,୪୨୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ଏହି ଅବସରରେ ମଧ୍ୟ ୮,୮୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର କରାଯାଇଥିଲା। ଆଗାମୀ ଦିନରେ ଏହି ଶିଳ୍ପ ସହର ରାଉରକେଲା ଦେଶର ଶିଳ୍ପ ହବ୍ ହେବାକୁ ଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ବିକାଶ କେବଳ ଭିତ୍ତିଭୂମି ନୁହେଁ। ପ୍ରକୃତ ବିକାଶ ହେଉଛି ସମାଜର ପ୍ରତ୍ଯେକ ବର୍ଗ ଲୋକଙ୍କ ସଶକ୍ତୀକରଣ। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଶାସନ ଭାର ସମ୍ଭାଳିବା ପରେ ସମାଜର ସବୁ ବର୍ଗ ବିଶେଷ ଭାବେ ଆଦିବାସୀ, ଦଳିତ ଏବଂ ମହିଳାଙ୍କ ସଶକ୍ତିକରଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଆଜି ଆମ ସମ୍ମୁଖରେ ମହିଳା ଓ ଜନଜାତି ସଶକ୍ତିକରଣର ସବୁଠାରୁ ବଡ ଉଦାହରଣ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ବ୍ଯତୀତ ଜନଜାତିଙ୍କ ଆଉ ଜଣେ ବିଶିଷ୍ଟ ଜନନେତା ଜୁଏଲ ଓରାମ ମହୋଦୟସାରା ଓଡିଶାର ଜନଜାତି ସଶକ୍ତିକରଣର ପ୍ରତୀକ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ନେତୃମଣ୍ଡଳ ଓଡ଼ିଶାରେ ଆଉଜଣେ ଜନଜାତି ସମ୍ପ୍ରଦାୟର ଜନ ପ୍ରତିନିଧିଙ୍କୁ ରାଜ୍ୟର ମୁଖ୍ୟସେବକ ଭାବେ ସେବା କରିବାର ଦାୟିତ୍ବ ଦେଇଛନ୍ତି। ରାଉରକେଲା କେବଳ ଏକ ଶିଳ୍ପ ସମୃଦ୍ଧ ସହର ନୁହେଁ। ଏହା ସ୍ୱପ୍ନ, ଶୃଙ୍ଖଳା, ବିବିଧତା ଏବଂ ବୈଭବରେ ପରିପୂର୍ଣ୍ଣ ସହର। ରାଉରକେଲା Steel Plant ସାରା ଦେଶରେ ସୁନାମ ଅର୍ଜନ କରିଛି। ଏହି ସହର ରାଷ୍ଟ୍ର ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି, ସୁଯୋଗ ଏବଂ ପରିଚୟ ଦେଇଛି। ଏହା ସହିତ, ରାଉରକେଲା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ବିଶେଷ କରି Hockey ପାଇଁ ସ୍ବତନ୍ତ୍ରତା ଅର୍ଜନ କରିଛି।














