ନୂଆଦିଲ୍ଲୀ: ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ ଏବଂ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିଲା। ପଶ୍ଚିମବଙ୍ଗରେ ଆଜି ଦ୍ବିତୀୟ ପର୍ଯ୍ୟାୟର ମତଦାନ ଶେଷ ହେଲା ପରେ ଏକ୍ଜିଟ୍ ପୋଲ୍ ଆସିଛି। ବିଭିନ୍ନ ସଂସ୍ଥା ଦ୍ବାରା ସର୍ଭେ କରାଯାଇଥିବା ରିପୋର୍ଟ ଅନୁସାରେ କେଉଁ ରାଜ୍ୟରେ କିଏ ସରକାର ଗଢ଼ିବେ ତାହାର ପୂର୍ବାନୁମାନ କରାଯାଇଛି। ତେବେ ପ୍ରକୃତରେ କେଉଁଠି କିଏ ସରକାର ଗଢ଼ିବେ ତାହା ୨୦୨୬ ମେ’ ୪ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ଆସାମରେ ବିଜେପି ନେତୃତ୍ବ ଏନ୍ଡିଏ ସରକାର ଆସିପାରେ। ‘ଆକ୍ସିସ ମାଇ ଇଣ୍ଡିଆ’ର ସର୍ଭେ ରିପୋର୍ଟ ଅନୁସାରେ ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ଏନ୍ଡିଏକୁ ୮୮ରୁ ୧୦୦ ଆସନ ମିଳିପାରେ। ଏଠାରେ କଂଗ୍ରେସକୁ ୨୮ରୁ ୩୬ଟି ଆସନ ମିଳିପାରେ। ଅନ୍ୟ ଦଳ ମାତ୍ର ୩ଟି ଆସନ ହାତେଇ ପାରନ୍ତି।
ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ମତଦାନ ହୋଇଛି। ଏଠାରେ ବିଜେପିକୁ ୧୫୦ରୁ ୧୬୦ ଆସନ ମିଳିପାରେ। ଶାସକ ତୃଣମୂଳ କଂଗ୍ରେସକୁ ୧୩୦ରୁ ୧୪୦ ଆସନ ମିଳିପାରେ। ଚାଣକ୍ୟ ଦ୍ବାରା ଏଭଳି ସର୍ଭେ ଆକଳନ କରାଯାଇଛି। ମୋର୍ଟିଜ୍ ସର୍ଭେ ରିପୋର୍ଟ ଅନୁସାରେ ୧୪୬ରୁ ୧୬୧ ଆସନ ଦେଇଥିବା ବେଳେ ତୃଣମୂଳ କଂଗ୍ରେସକୁ ୧୨୫ରୁ ୧୪୦ ଆସନ ମିଳୁଛି। ପୁଲ ଡାଏରି ସର୍ଭେ ରିପୋର୍ଟ ଅନୁସାରେ ଟିଏମ୍ସିକୁ ପଶ୍ଚିମବଙ୍ଗରେ ୯୯ରୁ ୧୨୭ ଆସନ ମିଳିବ। କିନ୍ତୁ ବିଜେପିକୁ ୧୪୨ରୁ ୧୭୧ ଆସନ ମିଳିବ। ଅନ୍ୟ ଦଳକୁ ୫ରୁ ୯ଟି ଆସନ ମିଳିପାରେ। ଏତଦ ବ୍ୟତୀତ ଅନ୍ୟ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଆସିବ ବୋଲି ଆକଳନ କରିଛନ୍ତି।
ମୋର୍ଟିଜ୍ ସର୍ଭେ ରିପୋର୍ଟ ଅନୁସାରେ ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମ୍କେକୁ ୧୨୨ରୁ ୧୩୨ଟି ଆସନ ମିଳିପାରେ। ଅପରପକ୍ଷେ ବିରୋଧୀ ଦଳ ଏଆଇଡିଏମ୍କେକୁ ୮୭ରୁ ୧୦୦ ଆସନ ମିଳିପାରେ। ସେହିଭଳି ଅନ୍ୟ ଦଳ ୧୦ରୁ ୧୮ଟି ଆସନ ହାତେଇପାରନ୍ତି। ୧୪୦ ବିଧାନସଭା ଆସନ ବିଶିଷ୍ଟ କେରଳରେ ବାଦମଦଳକୁ ୬୦ରୁ ୬୫ ଆସନ ମିଳିପାରେ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି। କଂଗ୍ରେସକୁ ଏଠାରେ ୭୦ରୁ ୭୫ଟି ଆସନ ମିଳିପାରେ। ପ୍ରଜା ପୋଲ ସର୍ଭେ ରିପୋର୍ଟ ଅନୁସାରେ ୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭା ନିର୍ବାଚନରେ ବିଜେପକୁ ୧୯ରୁ ୨୫ଟି ଆସନ ମିଳିବ। ଏଠାରେ କଂଗ୍ରେସକୁ ୬ରୁ ୮ଟି ଆସନ ମିଳିପାରେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ବିଜେପିକୁ ୧୬ରୁ ୨୦ ଏବଂ କଂଗ୍ରେସକୁ ୬ରୁ ୮ଟି ଆସନ ମିଳିପାରେ।
ସୂଚନାଯୋଗ୍ୟ, ୫ଟି ରାଜ୍ୟର ୮୨୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୭ କୋଟି ମତଦାତା ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଅନୁମାନ କରାଯାଉଛି। ଆସାମ, କେରଳ ଏବଂ ପୁଡୁଚେରୀରେ ଚଳିତ ମାସ ୯ ତାରିଖରେ ମତଦାନ ଗ୍ରହଣ କରାଯାଇଥିଲା। ତାମିଲନାଡୁରେ ଏପ୍ରିଲ ୨୩ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଇଥିଲା। ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଗତ ୨୩ ତାରିଖରେ ମତଦାନ ହୋଇଥିଲା। ଆଜି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି।














