ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ଜଣେ ଗର୍ଭବତୀ ମହିଳାଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିଜ ନିର୍ବାଚନମଣ୍ଡଳୀରେ ଜଣେ ଗର୍ଭବତୀ ମହିଳା ନ୍ୟାୟ ପାଇବା ପାଇଁ ନିଜର ୩ବର୍ଷର କୁନି ଝିଅ ସହ ବସିଥିବାବେଳେ ତାଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ସହ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଛନ୍ତି।
ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଜଣେ ଗର୍ଭବତୀ ମହିଳା ନିଜ ପ୍ରେମିକଙ୍କ ଘର ସାମ୍ନାରେ ୩ବର୍ଷର କୁନି ଝିଅଙ୍କୁ ଧରି ଧାରଣାରେ ବସିଥିବାବେଳେ ସମ୍ପୃକ୍ତ ପ୍ରେମିକଙ୍କ ସାନଭାଇ ତାଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିଲା। ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ଭିଡିଓରେ ମୃତ ମା’ ପାଖରେ କୁନି ଝିଅଟିର କାନ୍ଦୁଥିବା ଦୃଶ୍ୟ ସମଗ୍ର ରାଜ୍ୟବାସୀଙ୍କ ବିବେକକୁ ଦୋହଲାଇ ଦେଇଛି। ଏହି ସମ୍ବେଦନଶୀଳ ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ଏହି ଜଘନ୍ୟ କାଣ୍ଡରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ମହିଳାଜଣକ ଯେତେବେଳେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ, ପୁଲିସ୍ କାହିଁକି କୌଣସି ପ୍ରତିକାରମୂଳକ ପଦକ୍ଷେପ ନେଲାନାହିଁ, ତା’ର ତଦନ୍ତ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହିତ ମା’କୁ ହରାଇଥିବା ସେହି ଅସହାୟ ୩ ବର୍ଷର କୁନି ଝିଅକୁ ତୁରନ୍ତ ସରକାରୀ ସହାୟତା, କ୍ଷତିପୂରଣ ଓ ଥଇଥାନ କରିବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ,ହିଞ୍ଜିଳିରେ ଘଟିଥିବା ଏହି ଅମାନୁଷିକ କାଣ୍ଡ ଅତ୍ୟନ୍ତ ହୃଦୟ ବିଦାରକ। ସରକାର ଏହାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ବିରୋଧୀ ଦଳ ନେତା ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାର କୌଣସି ଆବଶ୍ୟକତା ନାହିଁ। ସରକାର ଏହି ଘଟଣାରେ ନିଶ୍ଚିତ ଭାବେ ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଓ ମୃତ ମହିଳାଙ୍କ ତିନି ବର୍ଷର ଶିଶୁ କନ୍ୟାର ଯତ୍ନ ନେବା ପାଇଁ ଯାହା କରାଯିବା କଥା ତାହା ସରକାର ନିଶ୍ଚିତ ଭାବେ କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।














