କୋଲକାତା: ପଶ୍ଚିମବଙ୍ଗକୁ ପ୍ରଥମ ବିଜେପି ସରକାର ମିଳିବ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ରାଜ୍ୟରେ ସରକାର ମୁଖ୍ୟ ହେବାରେ ସେ ହେଉଛନ୍ତି ପ୍ରଥମ ବିଜେପି ନେତା। ଆଜି କୋଲକାତାର ବିଶ୍ବ ବାଂଲା ସମ୍ମିଳନୀ କେନ୍ଦ୍ରରେ ହୋଇଥିବା ବିଧାୟକ ଦଳ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳ ନେତା ଘୋଷଣା କରିଛନ୍ତି। ପ୍ରଥମେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷ ବିଧାୟକ ଦଳ ବୈଠକରେ ଅଧିକାରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ।
ଏହାପରେ ବୈଠକ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଶାହ ଶୁଭେନ୍ଦୁଙ୍କୁ ବିଧାୟକ ଦଳ ନେତା ଘୋଷଣା କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସହ-ପର୍ଯ୍ୟବେକ୍ଷକ ଭାବେ ବୈଠକରେ ଉପସ୍ଥିତ ଥିଲେ। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପଶ୍ଚିମବଙ୍ଗରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ହେବ। ବିଶ୍ବଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ କୋଲକାତାର ବ୍ରିଗେଡ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ହାଇ ପ୍ରୋଫାଇଲ ଶପଥ କାର୍ଯ୍ୟକ୍ରମରେ ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପଶ୍ଚିମବଙ୍ଗ ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଶାହ ଏବଂ ଅନ୍ୟ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ। ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କ ନାଁ ଘୋଷଣା କରିବାପରେ ଶାହ କହିଛନ୍ତି, ସୋନାର ବାଂଲା ସ୍ବପ୍ନ ସାକାର କରିବାପାଇଁ ନୂଆ ସରକାର ସମସ୍ତ ଉଦ୍ୟମ ଲଗାଇବ । ଟିଏମ୍ସି ଓ ବାମଦଳକୁ ହରାଇବାପାଇଁ ପଶ୍ଚିମବଙ୍ଗରେ ମିଳିଥିବା ଜନାଦେଶ ପାଇଁ ଶାହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିବା ଆମ ସମସ୍ତଙ୍କ ମିଳିତ ଦାୟିତ୍ବ। ଆମେ ପଶ୍ଚିମବଙ୍ଗର ଜନତା ଏବଂ ରାଜ୍ୟର ଭବିଷ୍ୟତ ପାଇଁ ସମର୍ପଣ ମନୋଭାବ ସହ କାମ କରିବୁ। ବିଜେପି ପଶ୍ଚିମବଙ୍ଗର ଗଣତାନ୍ତ୍ରିକ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଶାହ କହିଛନ୍ତି।
ବିଧାକୟ ଦଳ ନେତା ଘୋଷିତ ହେବାପରେ ଶୁଭେନ୍ଦୁ ଅଧିକାରୀ ତାଙ୍କ ଉଦ୍ବୋଧନରେ କହିଛନ୍ତି, ବିଜେପି ସରକାର କମ୍ କହିବ , ବେଶୀ କାମ କରିବ। ପଶ୍ଚିମବଙ୍ଗ ଲୋକଙ୍କ ସ୍ବପ୍ନ ପୂରା କରିବା ଦିଗରେ ପଶ୍ଚିମବଙ୍ଗରେ ବିଜେପି ସରକାର କଠିନ ପରିଶ୍ରମ କରିବ। ଭାଷଣରେ ଶୁଭେନ୍ଦୁ ପଶ୍ଚିମବଙ୍ଗରେ ବିଜେପିକୁ ମିଳିଥିବା ଜନାଦେଶ ପାଇଁ ସମସ୍ତ ବିଜେପି କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନାଁ ଘୋଷଣା ହେବାପରେ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ତାଙ୍କୁ ଆଧୁନିକ ଭାରତର ଚାଣକ୍ୟ କହି ପ୍ରଶଂସା କରିଛନ୍ତି।














