ଭୁବନେଶ୍ୱର: ଚଳିତ ବର୍ଷ ନିକଟରେ ଅତୀତ ରାଜ୍ୟସଭା ନିର୍ବାଚନ ସମୟରେ ବିଜେପିର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ୍ ପେପର ଜାରି କରିଥିଲେ ନିର୍ବାଚନ ଅଧିକାରୀ, ଯାହା ନିର୍ବାଚନର ନୀତି ବିରୋଧୀ ବୋଲି ବିଜେଡି ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗକୁ ନେଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କୁ ଭେଟି ଆଲୋଚନା କରିଛନ୍ତି।
ସୂଚନାନୁସାରେ, ଦ୍ବିତୀୟ ବାଲାଟ୍ପେପର୍କୁ ନେଇ ବିଜେଡି ପକ୍ଷରୁ ଏପ୍ରିଲ ୨୮ରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲା। ଏପ୍ରିଲ ୨୯ ତାରିଖରେ ଭାରତୀୟ ନିର୍ବାଚନ କମିସନର ଏହି ପ୍ରସଙ୍ଗରେ ଅଭିଯୋଗକାରୀ ବିଜେଡି ସହ ଆଲୋଚନା କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ। ଇସିଆଇଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ନିର୍ଦ୍ଧାରିତ ସମୟରେ ସୋମବାର ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନକୁ ଭେଟିଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ, ବିଧାୟକ ଡ ଅରୁଣ କୁମାର ସାହୁ, ସାଂସଦ ଡ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ ମହାନ୍ତି ଓ ଡ ପ୍ରିୟବ୍ରତ ମାଝୀ ସାମିଲ ଥିଲେ ।
ବିଧାୟକ ଅରୁଣ କୁମାର ସାହୁ ସାକ୍ଷାତ ଆଲୋଚନା ସମ୍ପର୍କରେ କହିଛନ୍ତି, ରାଜ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଅଭିଯୋଗକୁ ବିଚାର କରିବା ପାଇଁ ନିଜର ଅସମର୍ଥ ପ୍ରକାଶ କରିଛନ୍ତି। ଏହା ସବୁଠାରୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ରାଜ୍ୟ ନିର୍ବାଚନ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଭୋଟ ଦେଲା ବେଳେ ବ୍ୟବହାର ହେଉଥିବା କଲମରୁ ଅତ୍ୟାଧିକ କାଳି ବୋହିଗଲା। ଯଦି କାଳି ବୋହୁଥିଲା ତେବେ ସେହି କଲମକୁ ଅନ୍ୟ ବିଧାୟକମାନେ ଭୋଟ ଦେଲାବେଳେ ବ୍ୟବହାର କରିଥିଲେ, କିନ୍ତୁ ସେଥିରୁ କିଭଳି କାଳି ବୋହିନଥିଲା ? ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଧାୟିକାଙ୍କ ଭୋଟ ନାକଚ ହୋଇଥିଲା, ଯାହାକୁ ବିଜେଡି ଏଜେଣ୍ଟ ବିରୋଧ କରି ଅଭିଯୋଗ କରିଥିଲେ । କିନ୍ତୁ ନିର୍ବାଚନ କମିସନର ଶାସକ ବିଜେପିର ପ୍ରରୋଚନାରେ ଦ୍ୱିତୀୟ ବାଲାଟ ପ୍ରଦାନ କରିଥିଲେ, ଯାହା ନିର୍ବାଚନର ନିୟମକୁ ଉଲ୍ଲଙ୍ଘନ କରୁଛି। ଯଦି ଭାରତବର୍ଷରେ ସମ୍ବିଧାନକୁ ରକ୍ଷା କରୁଥିବା ସଂସ୍ଥାମାନେ ନିରପେକ୍ଷ ଭାବେ ନିଜ କାର୍ଯ୍ୟ ନିର୍ବାହ କରିବେ ନାହିଁ, ତାହା ହେଲେ ଦେଶରେ ଗଣତନ୍ତ୍ର ଦୁର୍ବଳ ହେବ । ଏହା ଦେଶ ଓ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ।














