ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାର ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ‘ଅର୍ବାନ ଚାଲେଞ୍ଜ ଫଣ୍ଡ’ର ପ୍ରଥମ ଜାତୀୟ ଆପେକ୍ସ କମିଟି ବୈଠକରେ ଏକ ମହତ୍ତ୍ୱାକାଂକ୍ଷୀ “ପରବର୍ତ୍ତୀ ପିଢ଼ିର ସହରୀ ବିକାଶ ରୋଡମ୍ୟାପ୍” ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ୟୁସିଏଫ୍ ଢାଞ୍ଚାରେ ୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଞ୍ଚଟି ପ୍ରମୁଖ ସହରୀ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ।
ଏହି ଉପସ୍ଥାପନାରେ ଓଡ଼ିଶାର ବିକାଶମୁଖୀ ସହରୀ ମଡେଲ୍କୁ ଗୁରୁତ୍ୱ ଦିଆଯାଇଥିଲା, ଯାହା ସ୍ଥାୟୀ ଭିତ୍ତିଭୂମି, ଜଳବାୟୁ ସହନଶୀଳତା, ଡିଜିଟାଲ୍ ଶାସନ ଏବଂ ନାଗରିକ-କୈନ୍ଦ୍ରିକ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେଇଥାଏ। ଏହି ରୋଡମ୍ୟାପ୍ ଏପରି ସହରଗୁଡ଼ିକର ପରିକଳ୍ପନା କରେ ଯାହା କେବଳ ଅର୍ଥନୈତିକ ଭାବେ ଗତିଶୀଳ ଏବଂ ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ ହେବ ନାହିଁ, ବରଂ ପରିବେଶ ଅନୁକୂଳ ଏବଂ ସାମାଜିକ ଭାବେ ଯୋଡ଼ି ହେବ। ଓଡ଼ିଶା ପକ୍ଷରୁ ସମନ୍ୱିତ ଭିତ୍ତିଭୂମି ବିକାଶ, ଉନ୍ନତ ନାଗରିକ ସେବା, ଗମନାଗମନ ସୁବିଧାର ବୃଦ୍ଧି ଏବଂ ଗୁଣାତ୍ମକ ସହରୀ ଜୀବନଶୈଳୀ ଉପରେ କେନ୍ଦ୍ରିତ ଉଚ୍ଚ-ପ୍ରଭାବଶାଳୀ ସହରୀ ପ୍ରକଳ୍ପର ଏକ ଶକ୍ତିଶାଳୀ ପୋର୍ଟଫୋଲିଓ ଉପସ୍ଥାପନ କରାଯାଇଥିଲା।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ବନ୍ୟା ନିୟନ୍ତ୍ରଣ, ବୈଜ୍ଞାନିକ ପଦ୍ଧତିରେ ଜଳ ନିଷ୍କାସନ ବ୍ୟବସ୍ଥା, ସହରୀ ସବୁଜ ବଳୟର ସମ୍ପ୍ରସାରଣ, ସ୍ଥାୟୀ ଜଳ ପରିଚାଳନା ଏବଂ ଜଳବାୟୁ-ଅନୁକୂଳ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିରେ ବିଶେଷ କରି ଅସୁରକ୍ଷିତ ଗୋଷ୍ଠୀ, ମହିଳା, ଉଠାଦୋକାନୀ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମାନ ସୁଯୋଗ ଓ ସେବା ପ୍ରଦାନ ଉପରେ ଧ୍ୟାନ ଦିଆଯାଇଛି।














