ଭୁବନେଶ୍ବର: ପ୍ରକାଶ ପାଇଛି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ଶିକ୍ଷାର୍ଥୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏବେ ସେମାନେ results.cbse.nic.in, ଡିଜିଲକର୍ ଓ ଉମଙ୍ଗ ଆପ୍ରେ ନିଜର ରେଜଲ୍ଡ ଦେଖିପାରିବେ। ଚଳିତ ବର୍ଷ ପାସ ହାର ୮୫.୨୦% ରହିଛି। ଏହା ଗତବର୍ଷ ତୁଳନାରେ ୩.୧୯% କମ। ଗତବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ପାସ ହାର ୮୮.୩୯% ରହିଥିଲା। ଅର୍ଥାତ ଏଥର ପାସ ହାର କମି ଯାଇଛି। ୨୦୨୬ରେ ପୁଣି ଥରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ମୋଟ ପାସ୍ ହାର ୮୮.୮୬% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୮୨.୧୩% ରହିଛି। ଚଳିତ ବର୍ଷ ୧୭,୧୧୩ ଜଣ ପିଲା ୯୫%ରୁ ଅଧିକ ମାର୍କ ରଖିଛନ୍ତି। ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୯୪,୦୨୮।
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଯେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ତୃତୀୟ ଲିଙ୍ଗ ଶିକ୍ଷାର୍ଥୀ କୃର୍ତକାର୍ଯ୍ୟ ହୋଇଛନ୍ତି। ଅର୍ଥାତ ସେମାନଙ୍କ ପାସ ହାର ୧୦୦% ରହିଛି। ରିଜନ ସ୍ତରରେ ପରୀକ୍ଷା ରେଜଲ୍ଟକୁ ବିଚାର କଲେ ସବୁ ଥର ଭଳି ଏଥର ମଧ୍ୟ ତ୍ରିବେନ୍ଦ୍ରମ ୧ନଂରେ ରହିଛି। ଏହି ରିଜନରେ ପାସ୍ ହାର ରେକର୍ଡ ୯୫,୬୨% ରହିଛି। ଏହା ପଛକୁ ଚେନ୍ନାଇରେ ପାସ ହାର ୯୩.୮୪%, ବେଙ୍ଗାଲୁରୁରେ ୯୩.୧୯%, ଦିଲ୍ଲୀ ୱେଷ୍ଟରେ ୯୨.୩୪%, ଦିଲ୍ଲୀ ଇଷ୍ଟରରେ ୯୧.୭୩% ପିଲା ପାସ୍ କରିଛନ୍ତି। ସବୁଠାରୁ କମ ପିଲା ପାସ କରିଥିବା ରିଜନ ହେଉଛି ପ୍ରୟାଗରାଜ। ଏଠାରେ ପାସ ହାର ମାତ୍ର ୭୨.୪୩% ରହିଛି। ସେହିପରି ଭୁବନେଶ୍ୱର ରିଜନରେ ପାସ ହାର ୮୧.୭୧% ରହିଥିବା ବେଳେ ଲକ୍ଷ୍ନୌରେ ପାସ ହାର ହେଉଛି ୮୫୧.୦୧%।
ବିଦେଶ ସ୍କୁଲରେ ପାସ ହାର ଯଥେଷ୍ଟ ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶ ସ୍କୁଲରେ ପାସ ହାର ଅତ୍ୟନ୍ତ ନିରାଶ କରିଛି। ୨୦୨୫ରେ ବିଦେଶ ସ୍କୁଲରେ ପାସ ହାର ୯୫.୦୧% ରହିଥିଲା। କିନ୍ତୁ ଚଳିତ ବର୍ଷ ପାସ ହାର ୯୦.୫୦%କୁ ଖସି ଆସିଛି। ବିଦେଶ ସ୍କୁଲର ୨୪,୦୪୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେବାକୁ ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୪,୦୦୯ ଜଣ ପରୀକ୍ଷା ଦେଇଥିଲେ। ଏବେ ୨୧,୭୨୮ ଜଣ ପିଲା ପାସ କରିଛନ୍ତି। ଅର୍ଥାତ ପାସ ହାର ୯୦.୫୦% ରହିଛି।
ଭୁବନେଶ୍ବର ରିଜିଅନ୍ର ପାସ୍ହାର ୮୧.୭୧%
ଭୁବନେଶ୍ବର: ଆଜି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ)ର ୧୨ଶ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଦେଶରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହାର ୮୫.୨୦ ପ୍ରତିଶତ ରହିଛି। ସିବିଏସ୍ଇର ୨୨ଟି ରିଜିଅନ୍ ମଧ୍ୟରୁ ଭୁବନେଶ୍ବର ରିଜିଅନ୍ର ପାସ୍ହାର ୮୧.୭୧ ପ୍ରତିଶତ (ସମସ୍ତ ସବ୍ଜେଟ୍) ରହିଛି। ଯାହା ଦେଶରେ ୧୬ତମ ସ୍ଥାନ ଅଟେ।
ସିବିଏସ୍ଇ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ଚଳିତ ବର୍ଷ ୧୭ଲକ୍ଷ ୮୦ହଜାର ୩୬୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭ଲକ୍ଷ ୬୮ହଜାର ୯୬୮ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୫ଲକ୍ଷ ୭ହଜାର ୧୦୯ଜଣ ପାସ୍ ହୋଇଛନ୍ତି। ୨୦୨୫ରେ ପରୀକ୍ଷା ଦେଇଥିବା ମୋଟ ୧୬ଲକ୍ଷ୯୨ହଜାର ୭୯୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ଲକ୍ଷ ୯୬ହଜାର ୩୦୭ଜଣ ପାସ୍ ହୋଇଥିଲେ। ଏହି ପାସ୍ହାର ୮୮.୩୯ ପ୍ରତିଶତ ଥିଲା। ଚଳିତ ବର୍ଷର ପାସ୍ ହାର ପୂର୍ବବର୍ଷ ଅପେକ୍ଷା ୩.୧୯ ପ୍ରତିଶତ କମ୍ ରହିଛି।
ସେହିଭଳି ୨୦୨୫ରେ ୯୧.୬୪ ପ୍ରତିଶତ ବାଳିକା ଓ ୮୫.୭୦ ପ୍ରତିଶତ ବାଳକ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୬ରେ ବାଳିକାଙ୍କ ଉତ୍ତୀର୍ଣ୍ଣ ହାର ୮୮.୮୬ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ବାଳକଙ୍କ ଉତ୍ତୀର୍ଣ୍ଣ ହାର ୮୨.୧୩ ପ୍ରତିଶତକୁ ହ୍ରାସ ପାଇଛି। ଏହା ସତ୍ବେ ଚଳିତ ବର୍ଷ ବାଳକଙ୍କ ଠାରୁ ବାଳିକାମାନେ ୬.୭୩ ପ୍ରତିଶତ ଅଧିକ ପାସ୍ ହୋଇଛନ୍ତି।
ଭୁବନେଶ୍ବର ରିଜିଅନ୍ରେ ଚଳିତ ବର୍ଷ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟ, ସରକାରୀ ବିଦ୍ୟାଳୟ, ସ୍ବାଧୀନ (ଘରୋଇ ପରିଚାଳନା), ଜବାହର ନବୋଦୟ ବିଦ୍ୟାଳୟ (ଜେଏନ୍ଭି), କେନ୍ଦ୍ରୀୟ ବିଦ୍ୟାଳୟ ଓ ଇଏମ୍ଆର୍ଏସ୍, ଘରୋଇ (ସମସ୍ତ ପାଠ୍ୟକ୍ରମ) ମିଶାଇ ୮୭ହଜାର ୯୫୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯ହଜାର ୧୧୮ଜଣ ବାଳକ ଓ ୩୮ହଜାର ୮୩୭ଜଣ ବାଳିକା। ୮୭,୧୦୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ମୋଟ ୭୧,୧୭୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଳକଙ୍କ ପାସ୍ହାର ୭୯.୧୫ ପ୍ରତିଶତ ଓ ବାଳିକାଙ୍କ ୮୨.୧୯ ପ୍ରତିଶତ ରହିଛି। ଭୁବନେଶ୍ବର ରିଜିଅନ୍ରେ ୯୦୩ଟି ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୨୧ଟି ପରୀକ୍ଷା କେନ୍ଦ୍ର ଗଠିତ ହୋଇଥିଲା।














