ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ
- କଳା: ପରୀକ୍ଷାର୍ଥୀ- ୨,୫୪,୧୧୯; ପାସ୍-୮୪.୫୦ ପ୍ରତିଶତ
- ବିଜ୍ଞାନ: ପରୀକ୍ଷାର୍ଥୀ-୧,୧୩,୮୨୬ ପାସ୍- ୮୮.୮୦ ପ୍ରତିଶତ
- ବାଣିଜ୍ୟ: ପରୀକ୍ଷାର୍ଥୀ-୨୪,୨୮୯ ପାସ୍- ୮୮.୦୭ ପ୍ରତିଶତ
- ଧନ୍ଦାମୂଳକ: ପରୀକ୍ଷାର୍ଥୀ-୫,୮୫୬ ପାସ୍- ୭୭.୬୨ ପ୍ରତିଶତ
ଭୁବନେଶ୍ବର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବହୁ ପ୍ରତୀକ୍ଷତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍ କୋର୍ସ ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ ଭୁବନେଶ୍ବରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ଯୁକ୍ତ ୨ ପରୀକ୍ଷା ଫଳ ଜାରି କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଅପରାହ୍ଣ ୩ଟା ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଶିକ୍ଷୟିତ୍ରୀ ସରକାରୀ ୱେବ୍ସାଇଟ୍ results.odisha.gov.in ଓ results.digilocker.gov.in ଲଗଇନ୍ କରି ଫଳ ଜାଣିପାରିଛନ୍ତି। ସାମ୍ସ ଇ-ସ୍ପେସ୍ରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଫଳ ପାଇପାରିବେ।
କଳାରେ ପାସ୍ ହାର ୮୪.୫୦% ରହିଛି। କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରଙ୍କ ପାସ୍ ହାର ୭୭.୯୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫% ରହିଛି। କଳାରେ ୫୩ ହଜାର ୧୪୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୯ ହଜାର ୭୯୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧ ଲକ୍ଷ ୧୧ ହଜାର ୩୦୮ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୬୧୪ ଜଣ ୯୦% ଓ ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। କଳାରେ ସମ୍ବଲପୁର ଜିଲ୍ଲାର ପାସ୍ ହାର ସର୍ବାଧିକ ରହିଛି। ଏଠାରେ ୮୯.୪୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୭୭.୧୪% ରହିଛି।
ବାଣିଜ୍ୟରେ ପାସ୍ ହାର ୮୮.୦୭% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୮୬.୬୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩% ରହିଛି। ବାଣିଜ୍ୟରେ ୭ ହଜାର ୬୦୨ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪ ହଜାର ୫୦୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୯ ହଜାର ୧୪୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୫୬୮ ଜଣ ୯୦% ଓ ତା’ଠାରୁ ଅଧିକ ନମ୍ବର ରଖିଛି। ବାଣଜ୍ୟରେ ବୌଦ୍ଧ ଜିଲ୍ଲାର ପାସ୍ ହାର ସର୍ବାଧିକ ରହିଛି। ଏଠାରେ ପାସ୍ ହାର ୧୦୦% ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୭୭.୨୫% ରହିଛି।
ବିଜ୍ଞାନରେ ପାସ୍ ହାର ୮୮.୮୦% ରହିଛି। ବିଜ୍ଞାନରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୮୭.୪୧% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୨୪% ରହିଛି। ବିଜ୍ଞାନରେ ୬୭ ହଜାର ୪୫୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୧ ହଜାର ୭୧୭ ଜଣ ଦ୍ୱିତୀୟ ଓ ୧୦ ହଜାର ୪୩ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୫ ହଜାର ୧୦୧ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବିଜ୍ଞାନରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୯୬.୬୩% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୭୭.୧୪% ପାସ୍ କରିଛନ୍ତି।
ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷା ପାସ୍ ହାର ୭୭.୮୨% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୫ % ରହିଛି। ଧନ୍ଦାମୂଳକ ଶିକ୍ଷାରେ ୯୩୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୨୪୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୨୫୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ୧୦୦% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବନିମ୍ନ ୫୫.୨୨% ପିଲା ପାସ୍ କରିଛନ୍ତି। ମୋଟ ଉପରେ ଚଳିତ ବର୍ଷ ଯୁକ୍ତ ୨ରେ ପାସ୍ ହାର ୮୫.୮୫% ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୩ ଲକ୍ଷ ୯୮ହଜାର ୯୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୩ ଲକ୍ଷ ୮୧ ହଜାର ୭୮୧ ପରୀକ୍ଷାର୍ଥୀ। ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ଦିଆଯିବ ସୁଯୋଗ। କିନ୍ତୁ ପରୀକ୍ଷାର୍ଥୀ ପାସ୍ କରିଥିବା ଆବଶ୍ୟକ। ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ୪ ଲକ୍ଷ ୧ ହଜାର ୬୨୩ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ୩ ଲକ୍ଷ ୯୮ ହଜାର ୯୦ ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୪ ହଜାର ୧୧୯ଜଣ, ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୮୨୬, ବାଣିଜ୍ୟରେ ୨୪ ହଜାର ୨୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୮୫୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍ବଚ୍ଛତାର ସଂହ ପରୀକ୍ଷା ଆୟୋଜନ କରିବା ସହ ପରୀକ୍ଷା ଫଳ ପ୍ରକାଶ କରିଥିବାରୁ ମୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଧନ୍ୟବାଦ ଦେଉଛି। ପରୀକ୍ଷା ଫଳ ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଚିବ ଏନ୍ ତିରୁମାଲା ନାଏକ, ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ।














