ନୂଆଦିଲ୍ଲୀ: ନୂଆଦିଲ୍ଲୀର ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକାର ଏକ ପ୍ରତିନିଧି ଦଳ ସୁଲୋଚନା ହାଁସଦାଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭବନରେ ସାକ୍ଷାତ କରି ସାନ୍ତାଳିଙ୍କ ଭାଷା, ସଂସ୍କୃତି ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ୧୫ ଓ ୧୬ ଫେବୃଆରି ୨୦୨୬ରେ ନୂଆଦିଲ୍ଲୀରେ ଆୟୋଜିତ ଅଲଚିକି ଶତବାର୍ଷିକୀ ଉତ୍ସବ (୧୯୨୫–୨୦୨୫) ପରେ ରାଷ୍ଟ୍ରପତିଙ୍କ ସହ ପ୍ରଥମ ସାକ୍ଷାତକାର ଥିଲା। ପ୍ରତିନିଧି ଦଳ ଅଲଚିକି ଶତବାର୍ଷିକୀ ଉତ୍ସବ ସଫଳ କରିବାରେ ରାଷ୍ଟ୍ରପତିଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।
ସେହିପରି ପ୍ରତିନିଧି ଦଳ ୨୦୨୬–୨୭ ଶିକ୍ଷାବର୍ଷରୁ ସିବିଏସଇ ପାଠ୍ୟକ୍ରମରେ ସାନ୍ତାଳୀ ଭାଷାର ଅନ୍ତର୍ଭୁକ୍ତ ପାଇଁ ମଧ୍ୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାକୁ ସେମାନେ ସାନ୍ତାଳୀ ଭାଷାରେ ଶିକ୍ଷାର ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ତେବେ ପ୍ରତିନିଧି ଦଳ ଏନସିଇଆରଟି ଦ୍ୱାରା ପ୍ରକାଶିତ ସାନ୍ତାଳୀ ପାଠ୍ୟପୁସ୍ତକରେ ଦେବନାଗରୀ ଲିପିର ବ୍ୟବହାର ଉପରେ ଗଭୀର ଉଦବେଗ ପ୍ରକାଶ କରିବା ସହ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିର ପ୍ରଚଳନ ପାଇଁ ଦାବି କରିଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ଓ ପ୍ରତିନିଧି ଦଳ ମଧ୍ୟରେ ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ପ୍ରଚାର ପ୍ରସାର ନେଇ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସାନ୍ତାଳ ମାନଙ୍କର ଧର୍ମୀୟ ସ୍ଥଳୀ ‘ଜାହେର ଗାଳ୍’ ସ୍ଥାପନାର ପ୍ରସ୍ତାବ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ଏହି ଅବସରରେ ସୁଲୋଚନା ହାଁସଦା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାରମ୍ପରିକ ସାନ୍ତାଳୀ ଝାଲ୍ ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ମାଙ୍ଗାତ ମୁର୍ମୁ, ଅନୁପ ମାଝୀ, ଡ ରଜନୀକାନ୍ତ ମାଣ୍ଡି, ଡ ଫୁଦାନ ସୋରେନ, ସୋମନାଥ ହାଁସଦା, ସୁଲୋଚନା ହାଁସଦା, କବିତା ହାଁସଦା, କରୁଣାକର ହାଁସଦା, ସିଙ୍ଗରାୟ ମୁର୍ମୁ, ରତିକାନ୍ତ ମୁର୍ମୁ, ଚୁଡ଼ାମଣି ମୁର୍ମୁ, ରାଇମୋହନ ଟୁଡୁ, ରୀତା ଟୁଡୁ, ଜୟଶ୍ରୀ ଟୁଡୁ, ନୁନାରାମ ହାଁସଦା ଓ ବେଲରାଣୀ ହାଁସଦା ସାମିଲ ଥିଲେ।














