ଭୁବନେଶ୍ବର: ରାଜ୍ୟ ସଚିବାଳୟରେ ଆଜି ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଏଥିପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଆବଶ୍ୟକ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ସମୀକ୍ଷାକରାଯାଇଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟର ସମସ୍ତ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ, ଆଇସୋଲେସନ୍ ୱାର୍ଡର ପ୍ରସ୍ତୁତି, ଔଷଧ ଓ ସୁରକ୍ଷା ସାମଗ୍ରୀର ଉପଲବ୍ଧତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ବୈଠକରେ ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭୂତାଣୁ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରଚାର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଯେକୌଣସି ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ଅଯଥା ଭୟଭୀତ ନହୋଇ ସଚେତନ ରହିବାକୁ ଅନୁରୋଧ କରାଯାଇଛି।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ଵତୀ ଏସ୍., ଏନ୍ଏଚ୍ଏମ୍ ଏମ୍ଡି ବୃନ୍ଦା ଡି, ସ୍ୱତନ୍ତ୍ର ସଚିବ ବିଜୟ ମହାପାତ୍ର, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର, ଭୁବନେଶ୍ୱର ଏୟାରପୋର୍ଟର ଡିଜିଏମ୍ (ଅପରେସନ) ଉମାକାନ୍ତ ପଟେଲ, ବରିଷ୍ଠ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।














