ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଆମନ୍ତ୍ରଣ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ ଭାବରେ ଓଡ଼ିଶାର ଭିତ୍ତି ଭୂମିର ବିକାଶ, ପୁଞ୍ଜିନିବେଶ ସୁଯୋଗର ସମ୍ପ୍ରସାରଣ ଓ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଗକୁ ନେବା ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁନ୍ ୧୨ ତାରିଖରେ ଓଡ଼ିଶାରେ ଦୁଇ ବର୍ଷ ପୁରା କରୁଛି ଭାରତୀୟ ଜନତା ପାର୍ଟି ସରକାର । ଏହି ଅବସରରେ ସ୍ବତନ୍ତ୍ର ଭାବେ ଯୋଗ ଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମୋହନ। ଏଥିସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ବ ପ୍ରସିଦ୍ଧ କଟକର ରୁପା ତାରକସୀରେ ନିର୍ମିତ ବୋଇତ ଉପହାରରେ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।














