ଭୁବନେଶ୍ବର: ବେଙ୍ଗାଲୁରୁ ଆସିଥିବା ଉଗାଣ୍ଡାର ଜଣେ ମହିଳାଙ୍କଠାରେ କିଛି ଲକ୍ଷଣ ଦେଖାଯିବା ପରେ ତାଙ୍କୁ ସଙ୍ଗରୋଧ କରାଯାଇଛି। ସେ ଇବୋଲାରେ ଆକ୍ରାନ୍ତ କି ନୁହେଁ ଜାଣିବା ପାଇଁ ତାଙ୍କ ନମୁନା ଏନ୍ଆଇଭି ପୁନେକୁ ପଠାଯାଇଛି। ଯାହାକୁ ନେଇ ଦେଶରେ ପୁଣିଥରେ କୋଭିଡ୍ ଭଳି ଇବୋଲାକୁ ନେଇ ଭୟ ସଞ୍ଚାର ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଇବୋଲାକୁ ଏକ ଜରୁରି ଜନସ୍ବାସ୍ଥ୍ୟ ସମସ୍ୟା ବୋଲି କହିବା ପରେ ଭାରତ ସମେତ ଓଡ଼ିଶାରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ମିଳିଥିବା ସୂଚନାରେ, ଭୁବନେଶ୍ବର ବିମାନବନ୍ଦର ଦେଇ ଆସୁଥିବା ଇବୋଲା ସନ୍ଦିଗ୍ଧଙ୍କୁ ସଙ୍ଗରୋଧ କରିବା ଲାଗି ଏମ୍ସ ଭୁବନେଶ୍ବରରେ ୬-୮ଟି ଶଯ୍ୟା ସଂରକ୍ଷିତ ରହିବ। ଏହାର ବ୍ୟବସ୍ଥା କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମ୍ସ ନିର୍ଦ୍ଦେଶକଙ୍କୁ ପତ୍ର ଜାରି ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଇବୋଲାକୁ ନେଇ ବିଶ୍ବ ସଜାଗ ରହିଛି। ରୋଗର ଆଗୁଆ ଚିହ୍ନଟ, ସଙ୍ଗରୋଧ ଓ ପୃଥକୀକରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଭୁବନେଶ୍ବର ବିମାନ ବନ୍ଦରରେ ଯେଉଁ ସନ୍ଦିଗ୍ଧ ଚିହ୍ନଟ ହେବେ ଓ ସେମାନଙ୍କୁ ରେଫର କରାଯିବ ସେମାନଙ୍କୁ ଏମ୍ସରେ ସଙ୍ଗରୋଧରେ ରଖିବା ଲାଗି ବ୍ୟବସ୍ଥା କରାଯାଉ। ଯାହାଫଳରେ ଏଭଳି ଜନସ୍ବାସ୍ଥ୍ୟ ସମସ୍ୟାର ଉପଯୁକ୍ତ ମୁକାବିଲା କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆଗାମୀ ଦିନରେ ଯଦି ରାଜ୍ୟରେ ଯଦି ମାମଲା ସଂଖ୍ୟା ବୃଦ୍ଧି ପାଏ ତାହାଲେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଏଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ସେହିପରି ଗତ ୩ଦିନ ହେବ ଭୁବନେଶ୍ବର ବିମାନବନ୍ଦରରେ ଇବୋଲା ନେଇ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି। ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ ସହ ୨୧ଦିନର ଗସ୍ତ ବିବରଣୀ ଯାଞ୍ଚ କରାଯିବ। କୌଣସି ବ୍ୟକ୍ତିଙ୍କୁ ନେଇ ସନ୍ଦେହ ଉପୁଜିବ, ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।














