ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଶୋକ ପ୍ରକାଶ କରିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଟୁଇଟ କରିଛନ୍ତି। ଏଥିରେ ସେ କହିଛନ୍ତି, ସାହିତ୍ୟିକ ଡ. ଜଗନ୍ନାଥ ଦାସଙ୍କ ପରଲୋକ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କେବଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନଥିଲେ, ବରଂ ଭାରତୀୟ ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ସେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ରାଜ୍ୟ ଓ ଦେଶର ସେବାରେ ନିଜକୁ ନିୟୋଜିତ କରିଥିଲେ। ସାହିତ୍ୟର ପ୍ରତ୍ୟେକ ବିଭାଗରେ ନିଜର ସୃଜନଶୀଳତାର ସ୍ୱତନ୍ତ୍ର ଛାପ ଛାଡିଯାଇଥିବା ଜେ.ପି. ଦାସଙ୍କ ବିୟୋଗ ଆମ ସାରସ୍ୱତ ଜଗତପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି।
ସୂଚନାଯୋଗ୍ୟ, ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ। ଏଥି ସହିତ ସେ ବିଶିଷ୍ଟ ଓଡ଼ିଆ କବି, ନାଟ୍ୟକାର, କଳା ଐତିହାସିକ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଥିଲେ। ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ଖ୍ୟାତି ଅର୍ଜନ କରିଛନ୍ତି।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ତାଙ୍କ ରଚିତ କବିତା ସଂକଳନ ମଧ୍ୟରେ ‘ପ୍ରଥମ ପୁରୁଷ’, ‘ଆହ୍ନିକ’ ଏବଂ ‘ପରିକ୍ରମା’ ଆଦି ପାଠକୀୟ ଆଦୃତି ଲାଭ କରିଛି। ନାଟକ କ୍ଷେତ୍ରରେ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଓ ‘ସୁନ୍ଦର ଦାସ’ ଏବଂ ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ତାଙ୍କର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ସାହିତ୍ୟିକ ଅବଦାନ ପାଇଁ ତାଙ୍କୁ ୨୦୦୬ ମସିହାରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ତେବେ ନିଜ ନୀତିଗତ ଆଦର୍ଶ କାରଣରୁ ସେ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ। ଜଣେ ଦ୍ୱିଭାଷୀ ଲେଖକ ତଥା ଅନୁବାଦକ ଭାବରେ ସେ ସୁଇଡିସ୍, ଉର୍ଦ୍ଦୁ, ଫରାସୀ ଏବଂ ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ।














