ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏନେଇ ସୂଚନା ଦେଇଛନ୍ତି। ରିଜିଜୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ଡକାଇବାକୁ ଅନୁମୋଦନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ବିତର୍କ, ଆଲୋଚନା ଓ ନିଷ୍ପତ୍ତି ପାଇଁ ଏହି ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ। ୨୫ ଦିନ ଅବଧିର ଏହି ଅଧିବେଶନରେ ୧୯ଟି କାର୍ୟ୍ୟଦିବସ ରହିବ। ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିଜେପିର ବିଜୟ ଓ ତୃଣମୂଳ କଂଗ୍ରେସ (ଟିଏମସି) ଓ ଶିବସେନା (ୟୁବିଟି)ରେ ବିଭାଜନ ପରେ ଏହି ଅଧିବେଶନ ବସିବାକୁ ଥିବାବେଳେ ଗୁରୁତ୍ବପୂର୍ଣ୍ଣ ରହିଛି। ପୃଥକ ଗୋଷ୍ଠୀ ଭାବରେ ମାନ୍ୟତା ପାଇବା ପାଇଁ ୨୦ ଟିଏମସି ଓ ଛଅ ଜଣ ଶିବସେନା (ୟୁବିଟି) ସାଂସଦଙ୍କ ଦାବି ଉପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ରାଜ୍ୟସଭାର ନବନିର୍ବାଚିତ ଓ ପୁନଃ ନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିସାରିଥିବାବେଳେ ବରିଷ୍ଠ ସଦନରେ ଶାସକ ଏନ୍ଡିଏ ଅଧିକ ଶକ୍ତିଶାଳୀ ହୋଇଛି। ରାଜ୍ୟସଭାରେ ଟିଏମ୍ସିର ତିନି ଜଣ ସଦସ୍ୟ ଇସ୍ତଫା ଦେଇଥିବାରୁ ଉପନିର୍ବାଚନ ପରେ ବିଜେପିର କ୍ଷମତା ଅଧିକ ବୃଦ୍ଧି ପାଇବ।
ଏଏନଆଇ ରିପୋର୍ଟ ଅନୁଯାୟୀ, ବିବାଦୀୟ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଯାଞ୍ଚ କରୁଥିବା ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଜୁଲାଇ ୧୭ ତାରିଖରେ ଏହାର ରିପୋର୍ଟ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏହି ବିଲ୍ରେ ସବୁଠାରୁ ବିତର୍କିତ ବ୍ୟବସ୍ଥା ଯାହା ଦ୍ଵାରା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କିମ୍ବା ରାଜ୍ୟରେ ମନ୍ତ୍ରୀମାନଙ୍କୁ ଗିରଫ କରାଯାଇ ଗୁରୁତର ଅପରାଧ ମାମଲାରେ ଲଗାତାର ୩୦ ଦିନ ପର୍ୟ୍ୟନ୍ତ ନ୍ୟାୟିକ ହାଜତରେ ରଖାଗଲେ ସ୍ୱୟଂଚାଳିତ ଭାବରେ ପଦରୁ ବହିଷ୍କାର କରାଯିବାର ବ୍ୟବସ୍ଥା ରଖାଯିବ। କମିଟିର ବୈଠକ ପୁଣି ଥରେ ଜୁଲାଇ ୧୭ ତାରିଖରେ ଡକା ଯାଇଛି। ଆଲୋଚନା ସମୟରେ ଅନେକ ଅଂଶୀଦାର ବିଲ୍ରେ ଥିବା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ କମିଟି ବିବାଦୀୟ ଧାରାଟିକୁ ବାଦ ଦେବା ପାଇଁ ସୁପାରିସ କରିବାର ସମ୍ଭାବନା କମ୍। ତେବେ ରିପୋର୍ଟରେ ରାଜନୈତିକ ପ୍ରତିଶୋଧ କିମ୍ବା ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା ପାଇଁ ଏହି ବ୍ୟବସ୍ଥାର ଅପବ୍ୟବହାରକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବାର ଆଶା କରାଯାଉଛି। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ତୀବ୍ର ବିତର୍କ ଆରମ୍ଭ ହୋଇଯାଇଛି। ଜେପିସି ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ବୈଠକରେ ଏହାର ରିପୋର୍ଟକୁ ଚୂଡ଼ାନ୍ତ କରି ଗ୍ରହଣ କରିବ ଓ ପରବର୍ତ୍ତୀ ବିଚାର ପାଇଁ ଏହାକୁ ସଂସଦରେ ଦାଖଲ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ‘ଅପରେସନ ସିନ୍ଦୂର’ରେ ସହିଦ ବୀର ଯବାନଙ୍କୁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଥିବା ବିବାଦୀୟ ତଥ୍ୟକୁ ନେଇ ବିରୋଧୀ ଦଳମାନେ ତାଙ୍କ ବିରୋଧରେ ସ୍ବାଧୀକର ଭଙ୍ଗ ନୋଟିସ୍ ଆଣିପାରନ୍ତି ବୋଲି କୁହାଯାଉଛି।













