କଟକ,୦୬|୦୭: ଏଣିକି ବର୍ଷକୁ ଗୋଟିଏ କିମ୍ବା ଦୁଇଟି ନୁହେଁ । ୪ଟି ପରୀକ୍ଷା ଦେବେ ପିଲା । ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ଚାରୋଟି ପରୀକ୍ଷା ଦେବାକୁ ହେବ । ପ୍ରଥମ ଏବଂ ଦ୍ୱିତୀୟ ପରୀକ୍ଷା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବ । ସେହିପରି ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ବାକି ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ ।
ରିପୋର୍ଟ ଅନୁସାରେ, ଏଣିକି ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ଏବଂ ସମେଟିଭ୍ ଆସେସମେଣ୍ଟ୍ ମୂଲ୍ୟାୟନ ମାଧ୍ୟମରେ ମୂଲ୍ୟାୟନ କରାଯିବା । ସେମାନେ ୧୨୦୦ ମାର୍କର ପରୀକ୍ଷା ଦେବେ । ଏନେଇ ଆଗକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ । ଏହାସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ମଧ୍ୟ ଏପ୍ରିଲ ମାସରୁ ସେପ୍ଟେମ୍ବର ମଧ୍ୟରେ ଗୋଟିଏ ଲେଖାଏଁ ଏଫଏ ଓ ଏସଏ ଅନୁଷ୍ଠିତ ହେବା ନେଇ ଯୋଜନା ରହିଛି । ଜୁଲାଇ ମାସରେ ଏଫଏ-୧ ହେବ । ଏଥିରେ ଛାତ୍ରଛାତ୍ରୀ ୨୫ ମାର୍କ ଲେଖାଏଁ ୬ଟି ବିଷୟରେ ପରୀକ୍ଷା ଦେବେ । ସେପ୍ଟେମ୍ବର ସୁଦ୍ଧା ଏସଏ-୧ ଶେଷ ହେବ । ଏଥିରେ ପିଲାଙ୍କୁ ୫୦ ମାର୍କର ପରୀକ୍ଷା ଦେବାକୁ ହେବ । ଏହାବ୍ୟତୀତ ଶିକ୍ଷକ, ଶିକ୍ଷୟିତ୍ରୀ ପିଲାଙ୍କର ୨୫ ମାର୍କ ରହିବ । ଏହାଦ୍ବାରା ବିଦ୍ୟାର୍ଥୀଙ୍କର ୬ ମାସରେ ୬ଟି ବିଷୟର ୬୦୦ ମାର୍କର ମୂଲ୍ୟାୟନ କରାଯାଇପାରିବ ।
ସମାନ ଭାବେ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ବିଦ୍ୟାର୍ଥୀ ଏଫଏ-୨ ଓ ଏସଏ-୨ ପରୀକ୍ଷା ଦେବେ । ଏହା ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ବାରା ୨୫ ମାର୍କର ମୂଲ୍ୟାୟନ ହେବ । ଛାତ୍ରଛାତ୍ରୀଙ୍କ ପାଠପଢ଼ାର ନିୟମିତ ତଦାରଖ କରିବାକୁ ବର୍ଷକୁ ମୋଟ ୪ଟି ସାମାଜିକ ଓ ଆବେଗିକ ବିକାଶର ମୂଲ୍ୟାୟନ ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାକୁ ପର୍ଯ୍ୟବେକ୍ଷଣ, ଆଲୋଚନା ମାଧ୍ୟମରେ ଆକଳନ କରାଯାଇ ମାର୍କସିଟରେ ସୂଚୀତ କରାଯିବ ।














