ଭୁବନେଶ୍ବର ୯।୭: ହୀରାକୁଦ ଡ୍ୟାମ୍ର ଆଉ ୬ଟି ଗେଟ୍ ଖୋଲିଲା । ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ । ସକାଳେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲା ଯାଇଥିଲା । ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍ ଖୋଲିଛି ।
ଗୁରୁବାର ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍ । ହୀରାକୁଦ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବିଧି ମୁତାବକ ପୂଜାର୍ଚ୍ଚନା ପରେ ସକାଳ ୧୧ଟା ୧୫ ମିନିଟ୍ରେ ଖୋଲା ଯାଇଥିଲା ବାମ ପାର୍ଶ୍ବର ୭ ନମ୍ବର ଗେଟ୍ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ପ୍ରଥମ ଗେଟ୍ ଖୋଲାଯାଇଥିଲା । ପର୍ଯ୍ୟାୟ କ୍ରମେ ପ୍ରଥମେ ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍ ଖୋଲାଯାଇଥିଲା । ପରେ ଅପରାହ୍ନରେ ଆଉ ୬ଟି ଗେଟ୍ ଖୋଲାଯାଇଥିଲା । ଏବେ ବାମ ପାର୍ଶ୍ବର ୭ଟି ଗେଟ୍ ଓ ଡାହାଣ ପାର୍ଶର ୩ଟି ଗେଟ୍ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହି ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପାଇଁ ୪୦ ଘଣ୍ଟା ସମୟ ଲାଗିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।
ସେପଟେ ଜିଲ୍ଲାର ଅନେକ ସ୍ଥାନ ମହାନଦୀ କୂଳରେ ଥିବାରୁ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ତତ୍ପର ରହିଛି । ଏନେଇ ସମସ୍ତଙ୍କୁ ସତର୍କ କରାଯାଇଥିବା ବେଳେ ଜିଲ୍ଲାପାଳ ମାନେ ସତର୍କ ଅଛନ୍ତି । ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜଲ୍ଲାପାଳ ନିଜ ନିଜ ଜିଲ୍ଲାରେ ତଳିଆ ଅଂଚଳ ଗୁ଼ଡିକରେ ସତର୍କ କରାଉଛନ୍ତି । ଏହା ସହ ହୀରାକୁଦ ଡ୍ୟାମ୍ ଅଞ୍ଚଳରେ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି । ବନ୍ୟାଜଳ ଦେଖିବା ପାଇଁ ହୀରାକୁଦ ତଥା ମହାନଦୀରେ ଲୋକଙ୍କ ଭିଡ ଲାଗିଥିଲା । ଲୋକେ ବିଭିନ୍ନ ସ୍ଥାନରୁ ଆସି ଜଳଫୁଆରର ମଜା ନେଇଛନ୍ତି । ହେଲେ ପାଖକୁ ଯିବାକୁ ବାରଣ ଥିବାରୁ, ଏକ କିଲୋମିଟର ଦୂରରେ ରହି ବନ୍ୟାଜଳ ନିଷ୍କାସନ ଦୃଶ୍ୟ ଦେଖିଛନ୍ତି ।














