ଭୋଗରାଇ ୯।୭: ସପ୍ତାହେ ହେଲା ୧୬ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା । ଏମାନଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଲୁଡା ଗାଁର ଗୋଟିଏ ପରିବାରର ୩ ଭାଇ ନିଖୋଜ ଅଛନ୍ତି । ସେମାନେ ପଶ୍ଚିମବଙ୍ଗ ଶଙ୍କରପୁରରେ ମାଛ ଧରିବା କାର୍ଯ୍ୟରେ ନିୟୋଜିତ ଥିଲେ । ୩ ଭାଇ ରବୀନ୍ଦ୍ର ମାଝୀ, ଜୟରାମ ମାଝୀ, ଜଗନ୍ନାଥ ମାଝୀ ନିଖୋଜ ଖବର ଜାଣିବା ପରେ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ନିବେଦନ କରିଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ମତ୍ସ୍ୟମନ୍ତ୍ରୀ ରାଜେଶ ମହାତୁ ଶଙ୍କରପୁରରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାର ସହିତ ଆଲୋଚନା କରିଛନ୍ତି । ଆଜି ନୌସେନାର ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।
ଗତ ୨ ତାରିଖ ଗୁରୁବାର ମା’ କାଳୀ ନାମକ ଏକ ମାଛ ଧରା ଟ୍ରଲରରେ ୧୬ ଜଣ ମତ୍ସ୍ୟଜୀବୀ ଇଲିସି ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । କିନ୍ତୁ ଘଟଣାକୁ ଏକ ସପ୍ତାହ ବିତିଥିଲେ ମଧ୍ୟ ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ କିମ୍ବା ଯୋଗାଯୋଗ କରାଯାଇ ପାରୁନାହିଁ । ସେମାନଙ୍କୁ ଉଦ୍ଧାର ପାଇଁ ପଶ୍ଚିମବଙ୍ଗ ସରକାର ତଥା ପ୍ରଶାସନକୁ ନିବେଦନ କରିଛି ଶଙ୍କରପୁର ମତ୍ସ୍ୟଜୀବୀ ସଂଘ ।














