ଭୁବନେଶ୍ୱର୧୦।୭:ଓଡ଼ିଶାରେ ଚଳାଚଳ କରିବାକୁ ଥିବା ସମ୍ପୂର୍ଣ୍ଣ ସ୍ଲିପର୍ ସୁବିଧାଯୁକ୍ତ ପ୍ରିମିୟମ୍ ଏସି ବସ୍ ପାଇଁ ନୂଆ ଭଡ଼ା ହାର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏହି ଶ୍ରେଣୀର ବସ୍ରେ ପ୍ରତି କିଲୋମିଟର ପ୍ରତି ଯାତ୍ରୀ (ବର୍ଥ) ପାଇଁ ସର୍ବାଧିକ ୩ ଟଙ୍କା ୫୦ ପଇସା ଭଡ଼ା ଆଦାୟ କରାଯିବ । ରାଜ୍ୟ ଗେଜେଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ନୂଆ ଭଡ଼ା କାର୍ଯ୍ୟକାରୀ ହେବ ।
ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ଗଠିତ ବୈଷୟିକ କମିଟିର ସୁପାରିସ ଆଧାରରେ ଏହି ଭଡ଼ା ହାର ଧାର୍ଯ୍ୟ କରାଯାଇଛି । ତେବେ ସାଧାରଣ, ଏକ୍ସପ୍ରେସ୍, ଡିଲକ୍ସ, ଏସି ଏବଂ ବର୍ତ୍ତମାନ ଚାଲୁଥିବା ସୁପର ପ୍ରିମିୟମ୍ ବସ୍ର ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବରୁ ଘୋଷିତ ଭଡ଼ା ହିଁ ବଳବତ୍ତର ରହିବ ।
ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ସରକାର ଧାର୍ଯ୍ୟ କରିଥିବା ଏହି ଭଡ଼ା ହିଁ ସର୍ବାଧିକ ଆଦାୟଯୋଗ୍ୟ ଭଡ଼ା ହେବ । କୌଣସି ବସ୍ ମାଲିକ କିମ୍ବା ପରିଚାଳକ ଏହାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ । ଏହାର କଡ଼ାକଡ଼ି ପାଳନ, ପରମିଟ୍ ଅନୁମୋଦନ, ଭଡ଼ା ତାଲିକା ପ୍ରଦର୍ଶନ ଏବଂ ଟିକେଟ୍ ବ୍ୟବସ୍ଥାର ତଦାରଖ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ଓ ଆଞ୍ଚଳିକ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି, ୨୦୨୬ ବର୍ଷ ପାଇଁ ବସ୍ ଭଡ଼ାର ସାମଗ୍ରିକ ସଂଶୋଧନ ସମ୍ପର୍କିତ ବୈଷୟିକ କମିଟିର ରିପୋର୍ଟକୁ ବିଚାର କରି ସରକାର ଆବଶ୍ୟକ ହେଲେ ଏହି ଭଡ଼ାରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ଆଣିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।














