ଭୁବନେଶ୍ୱର,୧୦|୦୭: ରଥଯାତ୍ରା ସମୟରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ୧୪ ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୭ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ଅଛି।
ପଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏଭଳି ପୂର୍ବାନୁମାନ କରାଯାଇଛି। ୯ରୁ ୧୫ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ଆଶଙ୍କା ଅଛି। ୧୩ ଓ ୧୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଜୁଲାଇ ମାସରେ ଦେଶରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। କିନ୍ତୁ କେରଳ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ।
ସେହିପରି ୧୦, ୧୧ ଓ ୧୨ ତାରିଖରେ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୦ ତାରିଖରେ ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବୌଦ୍ଧରେ ବର୍ଷା ସମ୍ଭାବନା ଅଛି। ୧୧ ତାରିଖରେ ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ବାରିପଦା, ପାରାଦୀପ ଓ କେନ୍ଦ୍ରାପଡ଼ାରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।














