ପୁରୀ ୧୭।୦୭ : ଶେଷ ହେଲା ରଥ ଟଣା । ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି।
ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସାରା ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର ପୁରୀ। ରଥଯାତ୍ରାର ଏହି ଦିବ୍ୟ ଦୃଶ୍ୟର ସାକ୍ଷୀ ହୋଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ବୁଧବାର ଦିନ ଅପରାହ୍ନ ସମୟରେ ଆରମ୍ଭ ହୋଇଥିଲା ରଥ ଟଣା । ଦିନ ଗଡିବା ପରେ ତିନି ରଥ ଟଣା ପୁରା ହୋଇପାରିନଥିଲା । ସେଥିପାଇଁ ଗୁରୁବାର ଦିନ ପୁଣି ଥରେ ଆରମ୍ଭ ହୋଇଥିଲା ରଥ ଟଣା । ଦୀର୍ଘ ସମୟ ଧରି ରଥ ଟଣା ହେବା ପରେ ପ୍ରଥମେ ତାଳଧ୍ୱଜ ରଥ ପହଞ୍ଚିଥିଲା । ପରେ ଦର୍ପଦଳନ । ଆଉ ଶେଷରେ କାଳିଆ ସାଆନ୍ତେଙ୍କ ରଥ ପହଞ୍ଚିଥିଲା














